ସାଧାରଣତଃ ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ଆମ ତ୍ୱଚା ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବାଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା, ଚର୍ମ କୁଣ୍ଡେଇ ହେବା, ତ୍ୱଚା ଶୁଖିଲା ପଡ଼ି ଧଳା ପଡ଼ିଯିବା ବା ଶୀତଫୁଲା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଶୀତ ଦିନରେ ଆଉ ଏକ ସମସ୍ୟା ହେଲା ମଶା କାମୁଡ଼ିବା। ମଶା କାମୁଡ଼ିବା ଯୋଗୁଁ ତ୍ୱଚା ଫୁଲିଯିବା ସହ କୁଣ୍ଡେଇ ହୋଇ ନାଲି ପଡ଼ିଯାଏ। ତେଣୁ ଶୀତଦିନରେ ତ୍ୱଚାର ଯତ୍ନ ଅଧିକ ନେବାର ଆବଶ୍ୟକତା ରହିଛି। ଶୀତ ଦିନେ ସାବୁନ ବିଲକୁଲ ବ୍ୟବହାର କରନ୍ତୁ ନାହିଁ। ଏହା ଚର୍ମରେ ଲଗାଇବା ଦ୍ୱାରା ତ୍ୱଚା ଆହୁରି ଶୁଷ୍କ ହୋଇଯାଏ। ଶୀତ ଦିନରେ ସବୁବେଳେ ସାଧା ପାଣିରେ ଗାଧୋଇବେ। ଅଧିକାଂଶ ଲୋକ ଶୀତଦିନେ ଗରମ ପାଣିର ବ୍ୟବହାର ଅଧିକ କରିଥା’ନ୍ତି। ଫଳରେ ତ୍ଵଚାରୁ ଚିକ୍କଣ ଅଂଶ ବାହାରିଯାଇ ତ୍ୱଚା ଶୁଷ୍କ କରିଦିଏ। ତେଣୁ ସବୁବେଳେ ଗାଧୋଇବା ବେଳେ ନଖ ଉଷୁମ କିମ୍ବା ସାଧା ପାଣିର ବ୍ୟବହାର କରନ୍ତୁ। ସାବୁନ୍ ବଦଳରେ ମାଇଲ୍ଡ ବଡିଓ୍ୱାସ୍ ବ୍ୟବହାର କରିପାରିବେ। ନଚେତ, ଏଭଳି ସାବୁନ୍ ବ୍ୟବହାର କରିବେ, ଯେଉଁଥିରେ ମଇଶ୍ଚରାଇଜର ଅଂଶ ଅଧିକ ଥାଏ। ପ୍ରାୟ ଲୋକ ଗାଧୋଇବା ପୂର୍ବରୁ ଦେହରେ ତେଲ ଲଗାଇଥା’ନ୍ତି। କିନ୍ତୁ, ଏହି ତେଲ ଗାଧୋଇବା ବେଳେ ତ୍ୱଚାରୁ ବାହାରିଯାଏ। ସବୁବେଳେ ଗାଧୋଇସାରିବା ପରେ ତେଲ ଲଗାଇବା ଆବଶ୍ୟକ। ରନ୍ଧା ବା ମରା ନଡ଼ିଆ ତେଲ ତ୍ୱଚାରେ ଲଗାଇପାରିବେ। ଏହା ତ୍ଵଚାକୁ ନମନିୟ ରଖିବାରେ ସାହାଯ୍ୟ କରେ। ପ୍ରାୟ ଲୋକ ନଡ଼ିଆ ତେଲରେ କର୍ପୁର ମିଶାଇ ଲଗାନ୍ତି। ହେଲେ ଏହା କେତେକ ଲୋକଙ୍କର ତ୍ୱଚାଜନିତ ଆଲର୍ଜି କରାଏ। କେତେକ ଲୋକଙ୍କୁ ତେଲ ଲଗାଇବା ଦ୍ୱାରା ତେଲିଆ ବା ଚିପ୍ଚିପ୍ ଲାଗିଥାଏ। ଏଭଳି କ୍ଷେତ୍ରରେ ମଇଶ୍ଚରାଇଜର ଲଗାଇପାରିବେ।
ଓଠର ଯତ୍ନ :- ଶୀତଦିନେ ସାଧାରଣତଃ ଓଠ ଶୁଷ୍କ ହୋଇଯାଏ, ଓଠ ଫାଟେ ଏବଂ ଓଠରୁ ଚୋପା ଛାଡ଼ିଥାଏ। କାରଣ ଓଠର ଚମଡ଼ା ବହୁତ ପତଳା। ଖାସ୍କରି ଶୀତଦିନେ ଓଠରୁ ପାଣି ଅଂଶ କମିଯାଏ ଫଳରେ ଓଠ ଫାଟି ଦରଜ ହୁଏ। ଓଠ ଶୁଖିଗଲେ ଆମେ ଓଠରେ ଛେପ ଲଗାଉ କିମ୍ବା ବାରମ୍ବାର ଓଠରେ ଜିଭ ମାରିଥାଉ। ହେଲେ ଏହାଦ୍ଵାରା ଓଠ ଅଧିକ ଶୁଷ୍କ ହୋଇ ଦରଜ ହୁଏ। ମହିଳାମାନେ ଓଠରେ ଲିପ୍ଷ୍ଟିକ୍, ଲିପ୍ଗ୍ଲସ୍ ଲଗାଇବାକୁ ପସନ୍ଦ କରନ୍ତି। ହେଲେ କେତେକ ମହିଳାଙ୍କର ଲିପ୍ଷ୍ଟିକ୍ ଲଗାଇବା ଦ୍ଵାରା ଅଲର୍ଜି ହୋଇଯାଏ। ଏସବୁ ସମସ୍ୟାକୁ ରୋକିବା ପାଇଁ ଓଠରେ ଛେପ ଲଗାନ୍ତୁ ନାହିଁ, ଓଠକୁ ଦାନ୍ତରେ ଚୋବାଇବେ ନାହିଁ। ବର୍ତ୍ତମାନ ବଜାରରେ ବିଭିନ୍ନ ଲିପ୍ବାମ୍ ମିଳୁଛି। ଆପଣ ତାକୁ ଦିନରେ ୫ରୁ ୬ ଥର ଓଠରେ ଲଗାଇପାରିବେ। ନଚେତ ଗୁଆଘିଅ ମଧ୍ୟ ବ୍ୟବହାର କରିପାରିବେ। ଆଜିକାଲି ଖରାରୁ ଓଠକୁ ସୁରକ୍ଷା ଦେବାପାଇଁ ଲିପ୍ବାମ୍ ମିଳୁଛି। ତାହା ମଧ୍ୟ ବ୍ୟବହାର କରିପାରିବେ।
ପାଣି ପିଇବା :- ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ଶୋଷ କମ୍ ଲାଗିଥାଏ । ତେଣୁ ପାଣି କମ ପିଇବା ଫଳରେ ଶରୀରରେ ଜଳର ଅଭାବ ଦେଖାଦିଏ । କିନ୍ତୁ ଶୀତ ଦିନେ ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ଶରୀରକୁ ଆବଶ୍ୟକ । ତେଣୁ ପ୍ରତିଦିନ ୨ରୁ ୪ ଲିଟର ପାଣି ପିଅନ୍ତୁ ।
ବ୍ୟାୟାମ କରିବା :- ଶୀତଦିନେ ସକାଳର କଅଁଳିଆ ଖରାରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ।ଜଣେ ବ୍ୟକ୍ତି ପ୍ରତିଦିନ ଆବଶ୍ୟକ ମୁତାବକ ବିଶ୍ରାମ ନେବା ଆବଶ୍ୟକ । ଫଳରେ ଶରୀର ସୁସ୍ଥ ରହେ ।ପ୍ରତିଦିନ ଖାଦ୍ୟରେ ଭିଟାମିନ ସି , ଡି ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।
ସବୁଜ ପନିପରିବା ଖାଇବା :- ଶୀତ ଦିନେ ସବୁଜ ପନିପରିବା ଖାଇବା ସହ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ।