ନୂଆଦିଲ୍ଲୀ : ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ସ୍ଥିତି ସଂଗୀନ ହେବାରେ ଲାଗିଛି। କିଛି ସ୍ଥାନରେ ଏକ୍ୟୁଆଇର ସ୍ତର ୫୦୦ ପାର କରିସାରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗ୍ରାପ-୪ ଲାଗୁ କରାଯାଇଛି । ସେହିପରି ସୋମବାରଠାରୁ ନୋଏଡା ଓ ଗୁରୁଗ୍ରାମ୍ରେ ଶିକ୍ଷାନୁଷ୍ଠାନ ବନ୍ଦ ସହିତ ଅନ୍ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍ୟୁରେ ମଧ୍ୟ ଅନ୍ଲାଇନ୍ କ୍ଲାସ କରାଯିବ ।
ଅପରପକ୍ଷରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟ ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏମ୍ସିଡି କାର୍ଯ୍ୟାଳୟ ସକାଳ ୮.୩୦ରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଏହା ସହ ଦିଲ୍ଲୀ ସରକାରଙ୍କ ଅନ୍ୟସବୁ କାର୍ଯ୍ୟାଳୟ ସକାଳ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ଯ୍ୟାଳୟ ଅଲଗା ଅଲଗା ସମୟରେ ଖୋଲିବା ଓ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସବୁ ନିର୍ମାଣ କାର୍ଯ୍ୟ ବନ୍ଦ ଅଛି। ସେହିପରି ରାଜ୍ୟକୁ ବାହାରୁ ଆସୁଥିବା ଯାନବାହାନ ପ୍ରବେଶ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି । ଦିଲ୍ଲୀରେ ଯୁଗ୍ମ ଓ ଅଯୁଗ୍ମ ନମ୍ବର ନୀତି ଅନୁସାରେ ଯାନବାହାନ ଚାଲିବା ନେଇ ନିର୍ଦ୍ଦେଶ ଜାରି ହୋଇଛି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଭୟଙ୍କର ଦିଗକୁ ଗତି କରୁଥିବା ବେଳେ ବିଶେଷଜ୍ଞଙ୍କ କହିବା ଅନୁସାରେ ଆଗାମୀ ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ତେବେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ ହେବା ଯୋଗୁ ନିଶ୍ୱାସପ୍ରଶ୍ଵାସ ନେବା କଷ୍ଟକର ହୋଇପଡିଲାଣି। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଥିବା ବେଳେ ସୋମବାର ଏକ୍ୟୁଆଇ ୪୭୦ ରହିଥିଲା। ମଙ୍ଗଳବାର ଏଥିରେ ପୁଣି ବୃଦ୍ଧି ପାଇଁ ଏହା ୪୯୪ରେ ପହଞ୍ଚିଛି। ସେହିପରି ଦିଲ୍ଲୀର ଆଲିପୁରରେ ଏକ୍ୟୁଆଇ ୫୦୦, ଆନନ୍ଦ ବିହାର, ଜାହାଙ୍ଗିରପୁରା, ଜବାହରଲାଲ ନେହେରୁ ଷ୍ଟାଡିୟମ, ମନ୍ଦିର ମାର୍ଗ, ମୁଣ୍ଡକା ଏବଂ ବାୱାନାରେ ଏକ୍ୟୁଆଇ ୫୦୦ ରେକର୍ଡ କରାଯାଇଛି। ଲୋଧି ରୋଡରେ ଏକ୍ୟୁଆଇ ୪୯୩, ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ୪୯୯, ଏବଂ ନଜଫଗଡରେ ୪୯୧ ରେକର୍ଡ କରାଯାଇଛି।