ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଶୀତର ଲହରୀ ବୃଦ୍ଧି ପାଉଥିବା ବେଳେ ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଅନୁକୂଳ ପରିବେଶ ଆଣିଦେଇଛି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ଡିସେମ୍ବର ଆରମ୍ଭରେ କୋଣାର୍କ ମହୋତ୍ସବଠାରୁ ପର୍ଯ୍ୟାୟକ୍ରମେ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛି । ଫଳରେ ଶୀତୁଆ ସକାଳରେ ସାମୁଦ୍ରିକ ବେଳାଭୂମି ସମେତ ଜଙ୍ଗଲ ପରିବେଶରେ ମଜା ନେଇପାରିବେ ପର୍ଯ୍ୟଟକ। ପର୍ଯ୍ୟଟନ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ସମୀକ୍ଷା କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ବୈଠକ ଅବସରରେ ଆଗାମୀ ଦିନରେ କିଭଳି ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରାଯାଇ ପାରିବ ତା’ ଉପରେ ସେ ଗୁରୁତ୍ବ ଦେବାସହ ଏଥିପାଇଁ ପ୍ରଚାର ପ୍ରସାରକୁ ଅଧିକ ଧ୍ୟାନ ଦେବା ପାଇଁ କହିଥିଲେ।
ପ୍ରକାଶଥାଉ କି, ଇକୋ ରିଟ୍ରିଟ୍ ମାଧ୍ୟମରେ ପର୍ଯ୍ୟଟକମାନେ ପ୍ରକୃତିର ନିଆରା ଅନୁଭୂତି ସାଉଁଟିବେ। ସେଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ଇକୋ ରିଟ୍ରିଟ୍ ପାଇଁ ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ ହୋଇଛି। ଏହାଦ୍ୱାରା ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଖାଦ୍ୟପେୟ, ବିଳାସପୂର୍ଣ୍ଣ ରହଣି ସହ ମନୋରଞ୍ଜନର ସୁଯୋଗ ମିଳିବ। ଏହାସହ ଘଞ୍ଚ ଜଙ୍ଗଲରେ ପର୍ଯ୍ୟଟକ ବୁଲାବୁଲି କରିବା ସହ ନାଚଗୀତ ସାଙ୍ଗକୁ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖିବାର ସୁଯୋଗ ପାଇବେ। ସେଥିପାଇଁ ଏବର୍ଷ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ କୋଣାର୍କ, ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପାତିସୋନାପୁର ଏବଂ ପୁଟସିଲ୍ରେ ଏହି ଇକୋ ରିଟ୍ରିଟ୍ କରାଯିବ। ଏନେଇ ଯୁଗ୍ମ ସଚିବ ରୁଦ୍ରନାରାୟଣ ଦାସ ସୂଚନା ଦେଇଛନ୍ତି।