ନୂଆଦିଲ୍ଲୀ: ଏଲନ ମସ୍କଙ୍କ ସ୍ପେଶଏକ୍ସ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଯୋଗାଯୋଗ ଉପଗ୍ରହ ଜିସାଟ୍-ଏନ୨କୁ ମହାକାଶକୁ ପ୍ରେରଣ କରିଛି । ଏହା ଇସ୍ରୋ ଏବଂ ସ୍ପେଶଏକ୍ସ ମଧ୍ୟରେ ଅନେମ ବ୍ୟବସାୟିକ ସହଯୋଗିତାର ପ୍ରଥମ ଉଦାହରଣ ହୋଇଛି । ଫ୍ଲୋରିଡାସ୍ଥିତ କାନାଭେରାଲ ସ୍ପେଶ ଫୋର୍ସ ଷ୍ଟେସନରୁ ମଙ୍ଗଳବାର ଜିସାଟ୍-ଏନ୨କୁ ସ୍ପେଶଏକ୍ସର ଫାଲକନ ୯ ରକେଟ ଯୋଗେ ମହାକାଶକୁ ପଠାଯାଇଛି । ଇସ୍ରୋର ବାଣିଜି୍ୟକ ଶାଖା ନିୟୁ ସ୍ପେଶ ଇଣ୍ଡିଆ ଲିମିଟେଡର ସିଏମଡି ରାଧାକ୍ରିଷ୍ଣନ୍ ଦୁରାଇରାଜ କହିଛନ୍ତି, ଜିସାଟ୍ ଏନ୨ ଅଥବା ଜିସାଟ୍ ୨୦କୁ ତାହାର ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯାଇଛି ।
ସୂଚନାଯୋଗ୍ୟ ଯେ ଜିସାଟ୍-ଏନ୨ ଏକ ଯୋଗାଯୋଗ କୃତ୍ରିମ ଉପଗ୍ରହ ଯାହା ଇସ୍ରୋର ସାଟେଲାଇଟ ସେଣ୍ଟର ଏବଂ ଲିକ୍ୱିଡ ପ୍ରପଲସନ ସିଷ୍ଟମସ୍ ସେଣ୍ଟର ପକ୍ଷରୁ ମିଳିତ ଭାବରେ ବିକଶିତ କରାଯାଇଛି । ଏହାର ୪୮ ଜିବିପିଏସ୍ ଡାଟା ସଂଚରଣ କ୍ଷମତା ରହିଛି ଏବଂ ଏହି ଅତୁ୍ୟଚ୍ଚ ଚିନ୍ତନଶୀଳ ଉପଗ୍ରହ ବ୍ରଡବ୍ୟାଣ୍ଡ୍ ସେବାରେ ବୃଦ୍ଧି ଘଟାଇବା ସହିତ ଦେଶବ୍ୟାପୀ ବିମାନ ଭିତରେ ଯୋଗାଯୋଗ ସୁବିଧା ଉପଲବ୍ଧ କରାଇବ । ଇସ୍ରୋ ଭାରତର ସ୍ମାର୍ଟ ସିଟି ମିଶନ ନିମନ୍ତେ ଜିସାଟ୍ ପର୍ଯ୍ୟାୟର ଯୋଗାଯୋଗ ଉପଗ୍ରହ ବିକାଶ ଓ ପ୍ରେରଣ ଏବଂ ଯୋଗାଯୋଗ ଭିତ୍ତିଭୂମି ନିମନ୍ତେ ଡାଟା ସଂଚରଣ ଜାରି ରଖିବ ବୋଲି କୁହାଯାଇଛି । ଏହି ଉପଗ୍ରହ କକ୍ଷପଥରେ ୧୪ବର୍ଷ କାର୍ଯ୍ୟକ୍ଷମ ରହିବ ବୋଲି କୁହାଯାଇଛି । ମହକାଶକୁ ପଠାଯାଇଥିବା ଉପଗ୍ରହରେ ୩୨ଟି ୟୁଜର ବିମ୍ ରହିଛି, ଯେଉଁଥିରୁ ୮ଟି ନ୍ୟାରୋ ସ୍ପଟ ବିମ୍ ଉତ୍ତର ପୂର୍ବାଞ୍ଚଳ ଆଡକୁ ଏବଂ ୨୪ଟି ୱାଇଡ ସ୍ପଟ ବିମ୍ ଅବଶିଷ୍ଟ ଭାରତୀୟ ଅଞ୍ଚଳ ଉପରେ ରହିବ । ୩୨ଟି ବିମ୍କୁ ଭାରତ ମୂଳ ଭୂଖଣ୍ଡରେ ଥିବା ହବ୍ ଷ୍ଟେସନଗୁଡିକ ସହାୟତା ଯୋଗାଇଦେବ । ଉଲ୍ଲେଖଯୋଗ୍ୟ ଯେ ଇସ୍ରୋକୁ ଫ୍ରାନ୍ସର ବ୍ୟବସାୟିକ ଉତ୍କ୍ଷେପଣ ସେବା ଯୋଗାଣକାରୀ ଆରିଆନ୍ସ୍ପେଶ୍ ପକ୍ଷରୁ ଯୋଗାଇ ଦିଆଯାଉଥିବାବେଳେ ସମ୍ପ୍ରତି ତାହାର ସେଭଳି କୋଣସି ସେବା ଏଭଳି ଓଜନଦାର ଉପଗ୍ରହକୁ ନେବା ନିମନ୍ତେ ଉପଲବ୍ଧ ନାହିଁ । ସେହି କାରଣରୁ ଇସ୍ରୋ ସ୍ପେଶଏକ୍ସ ଉତ୍କ୍ଷେପଣ ଯାନର ସହାୟତା ନେଇଥିଲା । ଭାରତର ନିଜସ୍ୱ ଉତ୍କ୍ଷେପଣ ଯାନ ୪ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ପରିବହନ କରିପାରିବାର ସାମର୍ଥ୍ୟ ରଖୁଥିବାବେଳେ ଜିସାଟ୍ ଏନ-୨ର ଓଜନ ୪୭୦୦ କିଲୋଗ୍ରାମ ରହିଛି ।