ନୂଆଦିଲ୍ଲୀ: ୱିକେଟ ରକ୍ଷକ ତଥା ବ୍ୟାଟସ୍ମ୍ୟାନ ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ବଜାୟ ରଖିନାହିଁ । ଆଇପିଏଲ ନିମନ୍ତେ ମେଗା ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ମୁକ୍ତ କରିଦେଇଛି । ଏହି ପ୍ରସଙ୍ଗକୁ ନେଇ ରିଷଭ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଟଙ୍କାକୁ ନେଇ ଏଭଳି ଘଟଣା ଘଟିନାହିଁ । ସୂଚନାଯୋଗ୍ୟ ଯେ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ନିଲାମ ପୂର୍ବରୁ ରିଷଭଙ୍କୁ ବଜାୟ ନରଖିବା ନେଇ ସୁନିଲ ଗାଭାସ୍କର କିଛି କାରଣ ଦର୍ଶାଇଥିଲେ । ସେଥିରେ ଗାଭାସ୍କର କହିଥିଲେ ଯେ ରିଷଭ ସମ୍ଭବତଃ ତାଙ୍କୁ ବଜାୟ ରଖିବା ନିମନ୍ତେ ଦଳ ଯାଚୁଥିବା ଅର୍ଥରେ ରାଜି ହୋଇନାହାନ୍ତି । ସେ ଏହା ମଧ୍ୟ ଅନୁମାନ କରିଛନ୍ତି ଯେ ମେଗା ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ହୁଏତ ରିଷଭଙ୍କୁ ପୁଣି କ୍ରୟ କରିବା ଯୋଜନା ରଖିପାରିଥାଏ । ଚଳିତ ମାସ ୨୫ ଓ ୨୬ରେ ଆଇପିଏଲ ନିମନ୍ତେ ଖେଳାଳି ନିଲାମ ହେବାକୁ ଯାଉଛି ।
ଅନ୍ୟପକ୍ଷରେ ରିଷଭ କହିଛନ୍ତି, ଦଳରେ ତାଙ୍କୁ ବଜାୟ ରଖିବା ବିଷୟ ପ୍ରସଙ୍ଗରେ ଟଙ୍କା ମୁଖ୍ୟ ବିଷୟ ନୁହେଁ, ତାହା ସେ ଜୋର୍ ଦେଇ କହୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ନିଲାମ ପୂର୍ବରୁ ଚାରିଜଣ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିଛି । ସେମାନଙ୍କ ମଧ୍ୟରେ ଅକ୍ଷର ପଟେଲଙ୍କୁ ୧୬.୫ କୋଟି, କୁଲଦୀପ ଯାଦବଙ୍କୁ ୧୩.୫ କୋଟି ଏବଂ ଦକ୍ଷିଣ ଆଫି୍ରିକାର ଟାଇଷ୍ଟାନ ଷ୍ଟବସ୍ଙ୍କୁ ୧୦ କୋଟି ଟଙ୍କା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର କୋ÷ଣସି ଖେଳାଳିଙ୍କୁ ସର୍ବୋଚ୍ଚ ସୀମା ୧୮ କୋଟି ଟଙ୍କା ପ୍ରଦାନ କରୁନଥିବାବେଳେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟ କୋହଲିଙ୍କୁ ୨୧ କୋଟି ଏବଂ ସନରାଇଜର୍ସ ହାଇଦରାବାଦ ହେନରିଚ କ୍ଲାସେନଙ୍କୁ ୨୩ କୋଟି ଟଙ୍କା ଦେଉଛି, ଯେଉଁମାନେ ଉକ୍ତ ଦଳର ପ୍ରଥମ ପସନ୍ଦର ଖେଳାଳି ହୋଇଛନ୍ତି । ଜଣାଯାଇଛି ଯେ ରିକି ପଣ୍ଟିଂ ହେଡ କୋଚ ପଦରୁ ହଟିବା ପରେ ରିଷଭ ପନ୍ତ ଦଳ ଛାଡିବା ନେଇ ଏକ ସୂଚନା ଦେଇଥିଲେ । ଖେଳାଳିଙ୍କୁ ବଜାୟ ରଖିବା ଶେଷ ତାରିଖ ଅକ୍ଟୋବର ୩୧ ଥିବାବେଳେ ତାହା ପୂର୍ବରୁ ରିଷଭ ଉଲ୍ଲେଖ କରିଥିଲେ, ନିଲାମରେ ସେ ତାଙ୍କ ପାଇଁ ଦଳ ଖୋଜିବେ । ସେ ନିଲାମକୁ ଗଲେ ତାଙ୍କୁ କିଏ ନେବେ କି ନାହିଁ ଏବଂ କେତେ ଅର୍ଥ ଦେଇ ନେବେ ତାହା ସେ ନିଜ ସମର୍ଥକଙ୍କ ଠାରୁ ଜାଣିବାକୁ ଉଦ୍ୟମ କରିଥିଲେ । ସୂଚନାଯୋଗ୍ୟ ଯେ ୨୦୧୬ରେ ୧୯ରୁ ବର୍ଷରୁ କମ୍ ବିଶ୍ୱକପ୍ ରେ ରିଷଭ ପନ୍ତ ଭାରତ ପାଇଁ ସଫଳତା ଆଣିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଦଳରେ ସାମିଲ କରିଥିଲା । ସେ କ୍ୟାପିଟାଲ୍ସ ପାଇଁ ୧୧୧ ମ୍ୟାଚ ଖେଳି ୩୨୮୪ ରନ ସଂଗ୍ରହ କରିଛନ୍ତି, ଯାହାର ହାରାହାରି ୩୫ ରହିଛି । ରେଡ ବଲ୍ ଫର୍ମାଟରେ ତାଙ୍କର ଚମକ୍ରାର ପ୍ରଦର୍ଶନ ସତ୍ତ୍ୱେ ସେ ଟି୨୦ରେ ଏବଂ ବିଶେଷକରି ଆଇପିଏଲରେ ସେଭଳି ଚମକ୍ରାରିତା ଦେଖାଇ ପାରିନାହାନ୍ତି । ତେବେ ପଣ୍ଠିଂଙ୍କ ନେତୃତ୍ୱାଧୀନ ପରିଚାଳନ ମଣ୍ଡଳୀ ନିକଟରୁ ତାଙ୍କୁ ବିପୁଳ ସମର୍ଥନ ମିଳିଛି । ଆଘାତ ପ୍ରାପ୍ତ ହୋଇ ପ୍ରାୟ ବର୍ଷେ ସେ ଖେଳରୁ ଦୂରେଇ ରହିବା ପରେ ତାଙ୍କୁ କ୍ୟାପିଟାଲ୍ସ ଅଧିନାୟକ ଭାବରେ ନିଯୁକ୍ତ କରିଥିଲା । ଇତିମଧ୍ୟରେ ପୂର୍ବତନ ଅଲରାଉଣ୍ଡର ହେମାଙ୍ଗ ବଦାନିଙ୍କୁ କ୍ୟାପିଟାଲ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ କରାଯାଇଥିବାବେଳେ ବେଣୁଗୋପାଳ ରାଓଙ୍କୁ ଦଳର ଡାଇରେକ୍ଟର ଭାବରେ ନିଯୁକ୍ତ କରାଯାଇଛି । ବିଶ୍ୱକପ ବିଜେତା ପୂର୍ବତନ ପେସ ବୋଲର ମୁନାଫ ପଟେଲ ଦଳରେ ବୋଲିଂ କୋଚ ଭାବରେ ନଭେମ୍ବର ପ୍ରଥମ ଭାଗରେ ଯୋଗଦେଇଛନ୍ତି ।