ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତାହାର ଆର୍ଥିକ ନୀତି କମିଟି (ଏମପିସି) ବୈଠକଗୁଡିକରେ ସୁଧହାରକୁ ୨୦୨୩ ଫେବୃଆରୀ ଠାରୁ ଅପରିବର୍ତ୍ତିତ ରଖାଯାଇଆସୁଛି । ଦେଶରେ ଲଗାତର ମୁଦ୍ରାସ୍ପୀତି ଚାପ ରହୁଥିବାରୁ ସୁଧହାର ଅପରିବର୍ତ୍ତିତ ରହୁଥିବା ଆରବିଆଇ ପକ୍ଷରୁ କୁହାଯାଉଛି । କିନ୍ତୁ ବ୍ୟାଙ୍କ ଲେଣ୍ଡିଂ ରେଟ୍କୁ ଅଧିକ ସୁହାଇଲା ଭଳି କରିବା ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହ୍ୱାନ ଦେଇଛନ୍ତି । ତାଙ୍କ ପୂର୍ବରୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଋଣ ବାବଦ ଖର୍ଚ୍ଚ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଭାରତୀୟ ଷ୍ଟେଟବ୍ୟାଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନିର୍ମଳା ସୀତାରମଣ କହିଛନ୍ତି, ଶିଳ୍ପଗୁଡିକ ସେମାନଙ୍କର ସମ୍ପ୍ରସାରଣ ଏବଂ କ୍ଷମତା ବୃଦ୍ଧି ନିମନ୍ତେ ଋଣ ଆବଶ୍ୟକ କରୁଥିବାବେଳେ ସେ ବାବଦ ଖର୍ଚ୍ଚ ବୃଦ୍ଧି ସେମାନଙ୍କ ପାଇଁ ଆହ୍ୱାନମୂଳକ ପରିସ୍ଥିତି ସୃଷ୍ଟି କରୁଛି । ସରକାର ଯେଉଁ ସମୟରେ ଶିଳ୍ପଗୁଡିକୁ ପରିବ୍ୟାପ୍ତ ହେବା ଏବଂ ସେମାନଙ୍କର ସାମର୍ଥ୍ୟ ବୃଦ୍ଧି କରିବା ଚାହୁଁଛନ୍ତି, ସେହି ସମୟରେ ବ୍ୟାଙ୍କ ସୁଧହାର ଯଥାସମ୍ଭବ ସୁହାଇଲା ଭଳି ହେବା ଆବଶ୍ୟକ ।
ସୂଚନାଯୋଗ୍ୟ ଯେ ମୁଦ୍ରାସ୍ଫୀତି ଚାପକୁ କାରଣ ଦର୍ଶାଇ ଆର୍ବିଆଇ ବ୍ୟାଙ୍କ ସୁଧହାର ଅପରିବର୍ତ୍ତିତ ରଖୁଥିବାବେଳେ ଦେଶରେ ଖାଦ୍ୟ ମୂଲ୍ୟସ୍ଫୀତି ଚିନ୍ତାଜନକ ସ୍ତରରେ ରହିଛି । ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୬.୨%କୁ ବୃଦ୍ଧିପାଇଛି, ଯାହା ୧୪ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ଏବଂ ଏମପିସିର ଧାର୍ଯ୍ୟ ଲକ୍ଷ୍ୟ ସ୍ତର ୨-୬%ରୁ ଅଧିକ ହୋଇଛି । ମୁଦ୍ରାସ୍ଫୀତିରେ ବୃଦ୍ଧି ନିକଟ ଭବିଷ୍ୟତରେ ସୁଧହାର ବୃଦ୍ଧି ଆଶାରେ ପାଣି ପକାଇବା ଭଳି ହୋଇଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ସାମ୍ପ୍ରତିକ ସମୟରେ ସୁଧହାର କୋ÷ଣସି ପ୍ରକାରେ ହ୍ରାସ କରାଯିବା ବିପଜ୍ଜନକ ହୋଇପାରେ ।