ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଧୀରେଧୀରେ ଅବପାତର ପରିଣତ ହୋଇଛି । ଫଳରେ ଗତ କିଛି ଦିନରୁ ଲାଗି ରହିଥିବା ବର୍ଷା ପରିମାଣ ମଧ୍ୟ ହ୍ରାସ ପାଇଛି । ସେଥିପାଇଁ ରାଜ୍ୟରେ ମଙ୍ଗଳବାର ଜାରି ହୋଇଥିବା ଓ୍ବାର୍ଣ୍ଣିଂକୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରତ୍ୟାହୃତ କରାଯାଇଛି। ଗଭୀର ଅବପାତ ଧୀରେଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଏହା ବର୍ତ୍ତମାନ ଉତ୍ତର-ଛତିଶଗଡ଼ରେ ସକ୍ରିୟ ରହିଛି । ତେବେ ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଗୁରୁବାର ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ୧୩ ତାରିଖଠାରୁ ଉତ୍ତର-ଓଡ଼ିଶାରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପ୍ରକାଶଥାଉ କି, ମଙ୍ଗଳବାର ରାଜ୍ୟର ୨୩ଟି ସ୍ଥାନରେ ପ୍ରବଳ ବର୍ଷା, ୩ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଓ ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ୬୪.୦୦ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ୨୩୧.୪ ମିମି ବର୍ଷା କଳାହାଣ୍ଡିର ଲାଞ୍ଜିଗଡ ଠାରେ ରେକର୍ଡ କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ନଥିବା ଦେଇଛି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରେ ଜୁନ ମାସରୁ ଏପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ ୧୦୦୯.୭ ମି.ମି ହୋଇଥିବା ବେଳେ ଚଳିତ ବର୍ଷ ୭% ନିଅଣ୍ଟିଆ ବର୍ଷା ଅର୍ଥାତ ୯୩୮.୭ ମି.ମି ବର୍ଷା ରେକର୍ଡ ହୋଇଛି ।