ଇସଲାମାବାଦ: ଆସନ୍ତା ଚମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଏହି ଘୋଷଣାକ୍ରମେ ପାକିସ୍ତାନ ଦଳ ପାଇଁ ନୂଆ ବ୍ୟାଟିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ଜିମ୍ବାୱେ ଗସ୍ତ ପୂର୍ବରୁ ସାହିଦ ଅସଲମଙ୍କୁ ଜାତୀୟ ଦଳର ନୂତନ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି ପିସିବି। ପାକିସ୍ତାନର ଏକ ଗଣମାଧ୍ୟମ ଏହି ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ନିକଟରେ ଜାଭେଦ ଆକିବଙ୍କୁ ହ୍ୱାଇଟ ବଲ୍ କ୍ରିକେଟ୍ ର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବ୍ୟାଟିଂ କୋଚ୍ ଭାବେ ସାହିଦ ଅସଲମଙ୍କୁ ନିଯୁକ୍ତ କରିବା ପାଇଁ ଆକିବ ସୁପାରିଶ କରିଥିଲେ। ତାଙ୍କ ସୁପାରିଶକ୍ରମେ ପିସିବି ସାହିଦ ଅସଲମଙ୍କୁ ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛନ୍ତି।
ପ୍ରକାଶଥାଉ କି, ଅଷ୍ଟ୍ରେଲିଆ ଗସ୍ତ ପରେ ପାକିସ୍ତାନ ଏବେ ଜିମ୍ବାୱେ ଗସ୍ତ କରିବା ପାଇଁ ପ୍ରସ୍ତୁତ ହେଉଛି। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଏବଂ ୩ ମ୍ୟାଚ୍ ଟି -୨୦ ସିରିଜ୍ ଖେଳିବା ପାଇଁ ପାକିସ୍ତାନ ଜିମ୍ବାୱେ ଗସ୍ତ କରିବ। ପ୍ରଥମ ଦିନିକିଆ ମ୍ୟାଚ୍ ଆସନ୍ତା ୨୪ରେ ଖେଳାଯିବ ଓ ଶେଷ ଦିନିକିଆ ମ୍ୟାଚ୍ ୨୮ ନଭେମ୍ବରରେ ଖେଳାଯିବ। ସେହିପରି ଡିସେମ୍ବର ୧ ରୁ ଟି -୨୦ ସିରିଜ୍ ଆରମ୍ଭ ହେବାକୁ ଥିବାବେଳେ ଶେଷ ମ୍ୟାଚ୍ ଡିସେମ୍ବର ୫ ରୁ ଖେଳାଯିବ।