ଭୁବନେଶ୍ୱର : ବୁଧବାର ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ କିଣା ଆରମ୍ଭ ହୋଇଛି। ଏହି ଅବସରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରଗଡ଼ ସଦର ବ୍ଲକ କଳାପାଣି ମାର୍କେଟ ୟାର୍ଡ ଏବଂ ଅତାବିରା ବ୍ଲକ ଗୋଡଭଗା ଏବଂ ଅତାବିରା ମାର୍କେଟ ୟାର୍ଡ ଠାରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଧାନ ସଂଗ୍ରହ ସମୟରେ ଶସ୍ୟର ମାନ ପରୀକ୍ଷଣ ଲାଗି ପ୍ରଥମ ଥର ପାଇଁ ୨୦୦ଟି ମଣ୍ଡିରେ ସ୍ବୟଂଚାଳିତ ଶସ୍ୟ ମାନ ପରୀକ୍ଷଣ ଯନ୍ତ୍ର ଲଗାଯିବ। ସେହିପରି ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ସହିତ ଧାନର ଆର୍ଦ୍ରତା ପରୀକ୍ଷଣ ମେସିନ ମଧ୍ୟ ଲାଗିବ। ଏହାଦ୍ବାରା ଦଲାଲି, କଟନି ଛଟନିକୁ ବନ୍ଦ କରିହେବା ସହିତ ଚାଷୀମାନେ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପାଇପାରିବେ । ଅପରପକ୍ଷରେ ଆସନ୍ତା ୨୨ ତାରିଖରୁ ସମ୍ବଲପୁର ଜିଲାରୁ ଧାନକିଣା ଆରମ୍ଭ ହେବ। ଅନ୍ୟପକ୍ଷରେ କଟ୍ନି ଛଟନିକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପ୍ରତ୍ୟେକ ଜିଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି। ଏହାସହିତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ମଣ୍ଡିରେ ନୋଡାଲ ଅଧିକାରୀ, ସୁପରଭାଇଜର ନିଯୁକ୍ତ କରାଯାଇଛି।
ପ୍ରକାଶଥାଉ କି, ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ରାଜ୍ୟ ସରକାର ଅତିରିକ୍ତ ୮୦୦ ଟଙ୍କା (ମୋଟ ୩୧୦୦ ଟଙ୍କା) ଦେବାକୁ ଘୋଷଣା ହୋଇଥିଲା।