ମସ୍କୋ: ଦିନକୁ ଦିନ ରୁଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହାରି ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ପରମାଣୁ ଅସ୍ତ୍ର ବ୍ୟବହାର ସମ୍ବନ୍ଧିତ ଏକ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ, ଯଦି କୌଣସି ଦେଶ ପରମାଣୁ ଶକ୍ତିଶାଳୀ ଦେଶ ସହ ମିଶି ରୁଷ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ଏହାକୁ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ । ଏପରି ସ୍ଥିତିରେ ପରମାଣୁ ଆକ୍ରମଣ କରାଯିବ ।
ସୂଚନାଯୋଗ୍ୟ ଯେ, ନିକଟରେ ଆମେରିକା ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ରୁଷ୍ ଉପରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (ଏଟିଏସିଏମଏସ) ବ୍ୟବହାରକୁ ଅନୁମତି ଦେଇଥିଲେ । ଏହି ମିସାଇଲ୍ ସିଷ୍ଟମ ୩୦୦ କିଲୋମିଟର ପର୍ଯ୍ୟନ୍ତ ସଠିକ୍ ଆକ୍ରମଣ କରିବା କ୍ଷମତା ଧାରଣ କରେ। ଏହାପରେ ପୁଟିନ ଏହି ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନ ଯୁଦ୍ଧର ୧୦୦୦ ଦିନ ପୂର୍ତ୍ତି ଅବସରରେ ପୁଟିନ ପରମାଣୁ ଅସ୍ତ୍ର ସହ ଜଡ଼ିତ ନୂତନ ଆଦେଶରେ ଦସ୍ତଖତ କରିଛନ୍ତି । ରୁଷର ନ୍ୟୁକ୍ଲିୟର ଡେଟେରେଣ୍ଟ ଫୋର୍ସରେ ସ୍ଥଳ, ସମୁଦ୍ର ଏବଂ ବାୟୁସେନା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଶତ୍ରୁ ଉପରେ ରୁଷ୍ ଏହି ତିନୋଟି ମାଧ୍ୟମରେ ଆକ୍ରମଣ କରିବ । ତେଣୁ ସାରା ବିଶ୍ୱକୁ ରୁଷ୍ ଚେତାବନୀ ଦେଇଛି ଯେ ଯଦି କେହି ରୁଷ୍ ବିରୋଧରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରେ, ତା’ ହେଲେ ରୁଷ୍ ଏହା ବିରୋଧରେ ପରମାଣୁ ଅସ୍ତ୍ର ମଧ୍ୟ ବ୍ୟବହାର କରିବ ।