ଗୌହାଟୀ: ଆସାମ କ୍ୟାବିନେଟ ନିଷ୍ପତ୍ତିକ୍ରମେ ବାଂଲାଦେଶ ସୀମାବର୍ତ୍ତୀ ବରାକ ଉପତ୍ୟକାର କରିମଗଞ୍ଜ ଜିଲ୍ଲାର ନାମ ପରିବର୍ତ୍ତନ କରି ଶ୍ରୀଭୂମି କରାଯାଇଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।
ସୂଚନାଯୋଗ୍ୟ ଯେ, ୧୦୦ ବର୍ଷ ପୂର୍ବେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଆଧୁନିକ କରିମଗଞ୍ଜ ଜିଲ୍ଲାକୁ ଶ୍ରୀ ଭୂମି ଅର୍ଥାତ ମା’ ଲକ୍ଷ୍ମୀଙ୍କ ଭୂମି ବୋଲି ବର୍ଣ୍ଣନା କରିଥିଲେ। ତେଣୁ ଏହି ସମ୍ମାନାର୍ଥେ ଆସାମ କ୍ୟାବିନେଟ୍ ରେ ଏହି ନିଷ୍ପତ୍ତି ଅନୁମାଦନ ହୋଇଛି।
ଏହି ପରିପ୍ରେକ୍ଷୀରେ ହିମନ୍ତ ବିଶ୍ୱଶର୍ମା କହିଥିଲେ, ଆସାମର ଦକ୍ଷିଣତମ ଜିଲ୍ଲା କରିମଗଞ୍ଜର ପୁରୁଣା ଗୌରବକୁ ପୁନରୁଦ୍ଧାର କରି କରିମଗଞ୍ଜ ଜିଲ୍ଲା ଏବେ ଶ୍ରୀଭୂମି ହୋଇଛି। ଅବିଭକ୍ତ ଭାରତର ବର୍ତ୍ତମାନର ଭୌଗୋଳିକ ଅଞ୍ଚଳକୁ ଶ୍ରୀଭୂମି ନାମରେ ନାମିତ କରିଥିବା କବି ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ୱପ୍ନକୁ ସମ୍ମାନ ଜଣାଇ ଆସାମ କ୍ୟାବିନେଟ୍ କରିମଗଞ୍ଜକୁ ଶ୍ରୀଭୂମି ଜିଲ୍ଲା ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଜିଲ୍ଲାବାସୀଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରିବ।
ଅପରପକ୍ଷରେ ଆସନ୍ତା ଫେବୃଆରି ୨୪ ଏବଂ ୨୫ ତାରିଖରେ ଆସାମ ନିବେଶ ଏବଂ ଭିତ୍ତିଭୂମି ଶିଖର ସମ୍ମିଳନୀ ୨୦୨୫ ଆୟୋଜନକୁ କ୍ୟାବିନେଟ ଅନୁମୋଦନ କରିଛି। ରାଜ୍ୟରେ ବିକାଶର ଗତିକୁ ତ୍ୱରାନ୍ୱିତ ତଥା ଆସାମରେ ପୁଞ୍ଜିନିବେଶ ଏବଂ ଭିତ୍ତିଭୂମି ବିକାଶକୁ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ବୋଲି କହିଛନ୍ତି ହିମନ୍ତ।