ୱାଶିଂଟନ: ଦିନକୁ ଦିନ ରୁଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଘନେବାରେ ଲାଗିଛି । ଏହାମଧ୍ୟରେ ୪ ରାଷ୍ଟ୍ର ୟୁକ୍ରେନ ରାଜଧାନୀ କିଭ୍ରେ ଥିବା ଦୂତାବାସକୁ ବନ୍ଦ କରିଥିବା ସୂଚନା ମିଳିଛି। ଦୂତାବାସ ବନ୍ଦ କରିଥିବା ରାଷ୍ଟ୍ରଗୁଡ଼ିକ ହେଲେ ଆମେରିକା, ଇଟାଲି, ଗ୍ରୀସ୍ ଓ ସ୍ପେନ୍। ଯୁଦ୍ଧ ଭୟ ତଥା ରୁଷ୍ ସେନା ପକ୍ଷରୁ ଆକ୍ରମଣ ଆଶଙ୍କା କରି ଏହି ରାଷ୍ଟ୍ରଗୁଡ଼ିକ ଏପରି ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧକୁ ୧୦୦୦ ଦିନ ପୂରଣ ହେବା ସହିତ ଏହା ଏକ ନୂଆ ମୋଡ ନେଇଛି। ରୁଷ୍ ଉପରେ ୟୁକ୍ରେନ ଆମେରିକା ନିର୍ମିତ ଏଟିଏସିଏମ୍ଏସ୍ କ୍ଷେପଣାସ୍ତ୍ର ମାଡ କରିବା ପରେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଛି। ସେଥିପାଇଁ ଆମେରିକା, ଇଟାଲି, ଗ୍ରୀସ୍ ଓ ସ୍ପେନ୍ କିଭ୍ରେ ଥିବା ଦୂତାବାସକୁ ବନ୍ଦ କରିଦେଇଛନ୍ତି । ଏ ସମ୍ପର୍କରେ ଆମେରିକା ଦୂତାବାସ କହିଛି ଯେ, ନଭେମ୍ବର ୨୦ରେ କିଭ୍ସ୍ଥିତ ଦୂତାବାସ ଉପରେ ରୁଷ୍ ପକ୍ଷରୁ ବଡ ଧରଣର ଆକ୍ରମଣ ହେବା ନେଇ ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଦୂତାବାସକୁ ବନ୍ଦ କରାଯିବା ସହିତ କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ୟୁକ୍ରେନସ୍ଥିତ ନିଜର ନାଗରିକଙ୍କୁ ସତର୍କ ରହିବା ଲାଗି ଏହି ରାଷ୍ଟ୍ରଗୁଡ଼ିକ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ଚାଲିଯିବାକୁ କୁହାଯାଇଥିବା ବେଳେ ଜରୁରୀପରିସ୍ଥିତିରେ ଯୋଗାଯୋଗ କରିବାପାଇଁ ସ୍ବତନ୍ତ୍ର ନମ୍ବର ଜାରୀ ହୋଇଛି।