ଡୋମିନିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍ ଅନ୍ର’ରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। କୋଭିଡ ମହାମାରୀ ସମୟରେ ଡୋମିନିକାକୁ ସହାୟତା ପ୍ରଦାନ କରିବାରେ ମୋଦିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ସମୟରେ ମୋଦି ଅନେକ ଦେଶକୁ ଏହି ମହାମାରୀ ସହିତ ସଂଘର୍ଷ କରିବାପାଇଁ ସହାୟତାର ହାତ ବଢାଇଥିଲେ। ତେଣୁ ସେ ମହାମାରୀ ସହ ସଂଘର୍ଷ କରୁଥିବା ଅନ୍ୟ ଦେଶକୁ ଟିକା ଏବଂ ଔଷଧ ଯୋଗାଇ ଦେଇଥିଲେ। ୨୦୨୧ ମସିହା ଫେବୃୟାରୀରେ ପ୍ରଧାନମନ୍ତ୍ରୀ ଡୋମିନିକାକୁ ୭୦ ହଜାର ଡୋଜ୍ କରୋନା ଟିକା ଆଷ୍ଟ୍ରାଜେନେକା ଯୋଗାଇଥିବାରୁ କମନଓ୍ବେଲଥ୍ ଅଫ୍ ଡୋମିନିକା ସରକାର ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ।
‘ଡୋମିନିକା ଆଓ୍ବାର୍ଡ ଅଫ୍ ଅନ୍ର’ ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ପୋଷ୍ଟ କରିଛନ୍ତି ଯେ, ଏହି ସମ୍ମାନ କେବଳ ମୋର ନୁହେଁ ବରଂ ଭାରତର ୧୪୦ କୋଟି ଲୋକଙ୍କ ମାନଙ୍କର, ସେମାନଙ୍କର ମୂଲ୍ୟବୋଧ ଏବଂ ପରମ୍ପରାର। ଆମେ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ସମଗ୍ର ବିଶ୍ୱ ପାଇଁ ମହିଳା ସଶକ୍ତିକରଣର ଆଦର୍ଶ ଅଟୁ।
ପ୍ରକାଶଥାଉ କି, ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ଦେଶ ନିଜର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିସାରିଛି। କିଛି ଦିନ ପୂର୍ବେ ନାଇଜେରିଆ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଥିଲା।