ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ମାନଚିତ୍ର ପ୍ରସ୍ତୁତି ଯୋଗୁ ଭାରତ ଓ ଚୀନ ମଧ୍ୟରେ ବିବାଦ ସୃଷ୍ଟିହୋଇଛି । କିନ୍ତୁ ସେଥିରେ ଭୁଲ କେଉଁଟି ତାହା ସେ କହିପାରିବେ ନାହିଁ ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଅନିଲ ଚୋହାନ କହିଛନ୍ତି । ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର (ଆଇଆଇସି)ରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଚୋହାନ କହିଥିଲେ, ଦୁଇ ଦେଶର ମାନଚିତ୍ରକୁ ନେଇ ଭିନ୍ନ ଭିନ୍ନ ବୁଝାମଣା ଯୋଗୁ ଦୁଇଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । କିନ୍ତୁ କିଏ ଠିକ୍, କିଏ ଭୁଲ ତାହା ସେ କହିପାରିବେ ନାହିଁ । ୧୯୪୭ ପରଠାରୁ ଭାରତର ଭୋଗୋଳିକ ସୀମା ଏହାର ମାନଚିତ୍ରରେ କିଭଳି ସଙ୍କୁଚିତ ହେଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ସିଡିଏସ୍ କହିଥିଲେ, ୧୯୫୦ ପରେ ଚୀନ ମଧ୍ୟ ଭାବୁଛି ଯେ ଏହାର ସୀମାରେଖା ସଙ୍କୁଚିତ ହେଉଛି । ଏଥିପାଇଁ ଭାରତ ଆଂଶିକ ଦାୟୀ । ସେମାନେ ଅରୁଣାଚଳ ପ୍ରଦେଶକୁ ସେମାନଙ୍କର ବୋଲି ଦାବି କରୁଛନ୍ତି । ଏହିଭଳି ପ୍ରସଙ୍ଗକୁ ନେଇ ବିବାଦ ଚାଲିଛି ଏବଂ ଏ କ୍ଷେତ୍ରରେ କିଏ ଠିକ, କିଏ ଭୁଲ କୁହାଯାଇପାରିବ ନାହିଁ ।
ଦେଶର ପୂର୍ବତନ ବୈଦେଶିକ ସଚିବ ଶ୍ୟାମ ଶରଣଙ୍କ ଅଧ୍ୟକ୍ଷତାରେ ଆଇଆଇସିରେ ଆୟୋଜିତ ‘ଭବିଷ୍ୟତର ଯୁଦ୍ଧ ଏବଂ ଭାରତୀୟ ସଶସ୍ତ୍ର ବାହିନୀ’ ଶୀର୍ଷକ ଏକ ବକ୍ତୃତାମାଳାରେ ପ୍ରକାଶ କରି ଶ୍ରୀ ଚୋହାନ କହିଥିଲେ, ଯେକୋଣସି ବୃତ୍ତିଗତ ସେନାବାହିନୀ ଭବିଷ୍ୟତ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଥିବେ । ଥିଏଟର କମାଣ୍ଡ ଏବଂ ପୁନଃସଂରଚନା ଆଦି ସମସ୍ତ କାର୍ଯ୍ୟ ଚୀନ କର୍ତ୍ତୃପକ୍ଷ ନଅବର୍ଷ ତଳୁ କରିସାରିଛନ୍ତି । ଯଦି ତାହା ସେମାନେ କରିନଥାନ୍ତେ ତେବେ ଆମେ ମନେ କରୁଥାନ୍ତେ ଯେ, ସେମାନେ ଭବିଷ୍ୟତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ‘ଅଗ୍ନିପଥ‘ ଏକ ଭଲ ଯୋଜନା ବୋଲି ଉଲ୍ଲେଖ କରି ସେ କହିଥିଲେ, ଏଥିରେ ଅବଶ୍ୟ କେତେକ ପରିବର୍ତ୍ତନ ଅଣାଯିବ ।