ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଅନ୍ତର୍ଜାତୀୟ ସମବାୟ ସଂଘ (ଆଇସିଏ) ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ ସମବାୟ ସମ୍ମିଳନୀ । ଆସନ୍ତା ୨୫ରୁ ଆରମ୍ଭ ହେବାକୁ ଥିବା ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜାତିସଂଘ ଆନ୍ତର୍ଜାତିୟ ସମବାୟ ବର୍ଷ ୨୦୨୫’କୁ ଶୁଭାରମ୍ଭ କରିବେ। ଏନେଇ ଇଫ୍କୋ ଲିମିଟେଡ, ସମବାୟ ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ ସମବାୟ ସଂଘ (ଆଇସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ୧୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଇଫ୍କୋ ପ୍ରୟାସରେ ଅନ୍ତର୍ଜାତୀୟ ସମବାୟ ସଂଘର ପକ୍ଷରୁ ବିଶ୍ବ ସମବାୟ ସମ୍ମିଳନୀ ଭାରତରେ ଆୟୋଜିତ ହେବ। ଏହି ସମ୍ମିଳନୀ ଆସନ୍ତା ୨୫ରୁ ୩୦ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପ୍ରଗତି ମଇଦାନ, ଆଇଟିପିଓ ଭାରତ ମଣ୍ଡପମ୍ ରେ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତୀୟ ସମବାୟଗୁଡିକ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିଶେଷ ଭାବେ ପ୍ରସ୍ତୁତ ହାଟରେ ପ୍ରଦର୍ଶିତ ହେବ। ସମବାୟ ମନ୍ତ୍ରୀ ଅମିତ ଶାହ ଏହି ବିଶ୍ବ ସମବାୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଏହି ଅବସରରେ ଆନ୍ତର୍ଜାତିକ ସମବାୟ ବର୍ଷ- ୨୦୨୫ ଉପରେ ଏକ ସ୍ମାରକୀ ଡାକଟିକଟ ଉନ୍ମୋଚିତ ହେବ। ଏହି ଅବସରରେ ଭୁଟାନ ପ୍ରଧାନମନ୍ତ୍ରୀ ଡାଶୋ ଶେରିଂ ତୋବଗେ ଏବଂ ଫିଜି ଉପ ପ୍ରଧାନମନ୍ତ୍ରୀ ମାନୋଆ କାମିକାମିକା ମଧ୍ୟ ବିଶିଷ୍ଟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ ଇଫକୋ ଲିମିଟେଡ୍ର ପରିଚାଳନା ନିର୍ଦେଶକ ଡ.ୟୁ ଏସ ଅୱସ୍ଥି ଓ ସମବାୟ ମନ୍ତ୍ରଣାଳୟ ସଚିବ ଡ.ଆଶିଷ କୁମାର ଭୁଟାନି ସୂଚନା ଦେଇଛନ୍ତି।