କିଭ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ୟୁକ୍ରେନ୍ର ପୂର୍ବତନ ସେନାମୁଖ୍ୟ ତଥା ବର୍ତ୍ତମାନ ବ୍ରିଟେନରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ଭାଲେରୀ ଜାଲୁଜନିଙ୍କ ସୂଚନା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ବିଶ୍ୱ ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧରେ ପାଦ ରଖିସାରିଛି।
ସୂଚାନଯୋଗ୍ୟ ଯେ, ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ଜାଲୁଜନି ରୁଷ୍ରେ ଉତ୍ତର କୋରିଆ ସୈନ୍ୟଙ୍କ ଉଦ୍ବେଗଜନକ ସମ୍ପୃକ୍ତି ଏବଂ ଆଗଧାଡ଼ିରେ ଇରାନୀ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ୨୦୨୪ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି ବୋଲି କହିଥିଲେ।
ୟୁକ୍ରେନ୍କୁ ଆମେରିକା ଓ ବ୍ରିଟେନ ସମେତ ପାଶ୍ଚାତ୍ୟଦେଶଗୁଡ଼ିକ ସାହାଯ୍ୟ କରୁଥିବା ବେଳେ ରୁଷ୍କୁ ଉତ୍ତର କୋରିଆ ଓ ଇରାନ ପ୍ରଭୃତି ଦେଶ ସାହାଯ୍ୟ କରିବା ଅର୍ଥାତ ଗୋଟିଏ ଯୁଦ୍ଧରେ ଅନେକ ଦେଶର ସମ୍ପୃକ୍ତି ତୃତୀୟ ବିଶ୍ବଯୁଦ୍ଧର ଅୟମାରମ୍ଭର ସୂଚନା ବୋଲି କହିଥିଲେ ଜାଲୁଜନି। ଏହାସହିତ ୟୁକ୍ରେନ ସଂଘର୍ଷରେ ଅନ୍ତର୍ଜାତୀୟ ସେନାର ସମ୍ପୃକ୍ତି ବୃଦ୍ଧି ପ୍ରସଙ୍ଗରେ ତଥା ୧୦,୦୦୦ରୁ ଅଧିକ ଉତ୍ତର କୋରିଆ ସୈନ୍ୟଙ୍କ ଆଗମନ ଏବଂ ଇରାନର ଅସ୍ତ୍ରଶସ୍ତ୍ରର ଉପସ୍ଥିତି ଉପରେ ସେ ଆଲୋକପାତ କରିଥିଲେ।
ଏହି ଅବସରରେ ସେ କହିଥିଲେ ଯେ ଏହା ସ୍ପଷ୍ଟ ଯେ ୟୁକ୍ରେନର ପୂର୍ବରୁ ଅନେକ ଶତ୍ରୁ ଅଛନ୍ତି। କିନ୍ତୁ ୟୁକ୍ରେନ ଟେକ୍ନୋଲୋଜି ଦ୍ୱାରା ବଞ୍ଚିବ।