ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ସୋମବାର ସୁଦ୍ଧା ଅବପାତର ରୂପ ନେବ। ପରେ ଅଧକ ଘନିଭୂତ ହୋଇ ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଥିବା ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ତେବେ ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ଫେଙ୍ଗାଲ ରହିବ। ଏହା ତାମିଲନାଡ଼ୁ ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ । କିନ୍ତୁ ଓଡ଼ିଶା ଉପରେ ଏହି ଲଘୁଚାପର ବିଶେଷ ପ୍ରଭାବ ରହିବନି ।
ଅପରପକ୍ଷରେ ଆସନ୍ତା ୨୭ ଓ ୨୮ ତାରିଖ ବେଳକୁ ରାଜ୍ୟର କିଛିସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ । କିନ୍ତୁ ୨୭ ତାରିଖ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଏହାଫଳରେ ଶୀତର ପରିମାଣ ସାମାନ୍ୟ ହ୍ରାସପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ସେହିପରି, ୨୭ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ୨୮ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।