ମୁମ୍ବାଇ: ଭାରତରେ ତିଆରି ହେଉଥିବା ସମସ୍ତ ଫିଲ୍ମ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫସି)ର ଆବଶ୍ୟକତା ରହିଥାଏ। ଏହା ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଦିଆଯାଇଥାଏ ଯାହା ଭାରତରେ ଚଳଚ୍ଚିତ୍ର ବିତରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସିବିଏଫସି ୪ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ସାର୍ଟିଫିକେସନ୍ ସମ୍ପର୍କିତ ଏକ ମାନଦଣ୍ଡ ଅନୁସରଣ କରୁଥିବା ବେଳେ ଭାରତରେ ସେନ୍ସର ବୋର୍ଡ ତରଫରୁ ଫିଲ୍ମକୁ ୪ ପ୍ରକାର ସାର୍ଟିଫିକେଟ୍ ଦିଆଯାଇଥାଏ। କିନ୍ତୁ ଏହି ପ୍ରକ୍ରିୟାରେ ସିବିଏଫସି ଏକ ନୂଆ ନିୟମ ଲାଗୁ କରିଛି। ଏଥିରେ ୫ଟି ବର୍ଗରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ସେଗୁଡ଼ିକ ହେଲା ୟୁ, ୟୁଏ ୭+, ୟୁଏ ୧୩+, ୟୁଏ ୧୬+ ଏବଂ ‘ଏ’ ବର୍ଗର ଚଳଚ୍ଚିତ୍ର।
‘ୟୁ’ ବର୍ଗରେ ସମସ୍ତ ବର୍ଗ ବୟସର ଦର୍ଶକ ଦେଖିପାରିବେ। ସେହିପରି ‘ୟୁଏ’ ବର୍ଗକୁ ବୟସ ଅନୁସାରେ ୪ଟି ଭିନ୍ନ ଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି। ଏହି ବର୍ଗଗୁଡିକ ହେଲା ୟୁଏ ୭+, ୟୁଏ ୧୩+ ଏବଂ ୟୁଏ ୧୬+ ବର୍ଗ। ‘ୟୁଏ ୭+’ ବର୍ଗରେ ଚଳଚ୍ଚିତ୍ରଗୁଡ଼ିକ ୭ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପିଲାମାନେ ଦେଖିପାରିବେ। ଏହି ବର୍ଗରେ ଅଭିଭାବକ ସେମାନଙ୍କ ଛୋଟ ପିଲାଙ୍କ ପାଇଁ ଫିଲ୍ମ ଠିକ୍ କି ନାହିଁ ତାହା ସ୍ଥିର କରିପାରିବେ। ‘ୟୁଏ ୧୩+’ ବର୍ଗର ଚଳଚ୍ଚିତ୍ରଗୁଡ଼ିକ ୧୩ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପିଲାମାନେ ଦେଖିପାରିବେ। ‘ୟୁଏ ୧୬+’ ବର୍ଗର ଚଳଚ୍ଚିତ୍ର ୧୬ ବର୍ଷରୁ ଅଧିକ ବୟସ କିମ୍ବା ତାଠାରୁ ଅଧିକ ବୟସର ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ‘ଏ‘ ବର୍ଗରେ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଲୋକ ଦେଖିପାରିବେ।