ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ସନ୍ଧ୍ୟା ପ୍ରାୟ ୫.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଓଡ଼ିଶା ପର୍ବ-୨୦୨୪’ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।
ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀର ଏକ ଟ୍ରଷ୍ଟ, ଓଡ଼ିଆ ସମାଜ ଦ୍ୱାରା “ଓଡ଼ିଶା ପର୍ବ” ନାମକ ଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଏହା ମାଧ୍ୟମରେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ। ଚଳିତ ବର୍ଷ ଏହି ପର୍ବ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ କ୍ଷେତ୍ରର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ବିଶେଷଜ୍ଞଙ୍କ ଦ୍ୱାରା ଏକ ଜାତୀୟ ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇଛି।
ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପର୍ବରେ ଯୋଗ ଦେଇଥିବା ବେଳେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ଯୋଗ ଦେବାପାଇଁ ଯାଉଛନ୍ତି। ରାଷ୍ଟ୍ରପତି କାର୍ଯ୍ୟକ୍ରମରେ ଯୋଗ ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ତଥା ଓଡ଼ିଆମାନେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଉତ୍ସବର ବିଶେଷ ଭୂମିକା ରହିଥିବା କହିଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧବପୁଅମାନେ ନୌବାଣିଜ୍ୟ ପାଇଁ ଜାଭା, ସୁମତ୍ରା, ବାଲି, ଇଣ୍ଡୋନେସିଆ, ପ୍ରଭୃତି ଦେଶକୁ ଯାଉଥିବା ବେଳେ ଆଜି ମଧ୍ୟ ସେଠାରେ ଓଡ଼ିଶା ଅସ୍ମିତା ଦେଖିବାକୁ ମିଳୁଥିବା କହିଥିଲେ।
ଅପରପକ୍ଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ବ ସ୍ତରରେ ଓଡ଼ିଆମାନେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରୁଥିବା କହି ଓଡ଼ିଆଙ୍କ ଆଧିପତ୍ୟ ବୃଦ୍ଧି ପାଉଥିବା କହିଥିଲେ। ଏହାସହ ଓଡ଼ିଆ କଳା ଓ ସଂସ୍କୃତିର ପ୍ରଚାର, ସୁରକ୍ଷା ପାଇଁ ଆୟୋଜିତ ‘ଓଡ଼ିଶା ପର୍ବ’ କାର୍ଯ୍ୟକ୍ରମ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ବତନ୍ତ୍ର ପରିଚୟକୁ ବିଶ୍ବବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିବା ସମ୍ପର୍କରେ ସୂଚନା ଦେଇଥିଲେ।