ବାକୁ: ଏଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ମୁକାବିଲା ସମ୍ମିଳନୀରେ ସିଓପି୨୯ ଆର୍ଥିକ ଚୁକ୍ତି ହେବା ସହିତ ତାହାକୁ ଗୃହୀତ କରାଇ ନିଆଯାଇଛି । ତେବେ ଏହି ଚୁକ୍ତିକୁ ଭାରତ ବିରୋଧ କରିବା ସହିତ ଏହା ଏକ ଦୃଶ୍ୟଗତ ପ୍ରହେଳିବା ବୋଲି କହିଛି । ଏଥିରେ ଯୋଗଦେଇଥିବା ଭାରତୀୟ ପ୍ରତିନିଧି ଦଳର ପ୍ରତିନିଧି ଚାନ୍ଦନି ରାଇନା ଉଦ୍ୟାପନୀ ଅଧିବେଶନରେ କହିଛନ୍ତି ଯେ, ଏହି ଦସ୍ତାବିଜ ଦୃଶ୍ୟଗତ ପ୍ରହେଳିକା ବ୍ୟତୀତ ଆଉ କିଛି ନୁହେଁ ବୋଲି ଦୁଃଖର ସହିତ କହିବାକୁ ପଡୁଛି । ଆମେ ଯେଉଁ ଚାଲେଞ୍ଜର ସମ୍ମୁଖୀନ ହେଉଛି, ତାହାର ଭୟାବହତାକୁ ଏହା ମୁକାବିଲା କରିପାରିବ ନାହିଁ ବୋଲି ଭାରତ ମନେକରୁଛି । ଇତିମଧ୍ୟରେ ନାଇଜେରିଆ ମଧ୍ୟ ଭାରତର ଆଭିମୁଖ୍ୟକୁ ସମର୍ଥନ କରି ଏହି ଆର୍ଥିକ ଚୁକ୍ତି ଏକ ଜୋକ୍ ବୋଲି କହିଛି । ଏହି ଶିଖର ସମ୍ମିଳନୀରେ ବିକଶିତ ରାଷ୍ଟ୍ରଗୁଡିକ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ୨୦୩୫ ସୁଦ୍ଧା ବାର୍ଷିକ ୩୦୦ ବିଲିଅନ ଡଲାର ଯୋଗାଇଦେବାକୁ ପ୍ରସ୍ତାବ ଦେଇଥିଲେ । ତାହାର କିଛି ଘଣ୍ଟା ପୂର୍ବରୁ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ କାରଣରୁ ସର୍ବାଧିକ ପ୍ରଭାବିତ ହେଉଥିବା କେତେକ ରାଷ୍ଟ୍ର ଉକ୍ତ ସମ୍ମିଳନୀ କକ୍ଷ ଛାଡି ବାହାରକୁ ଚାଲିଯାଇଥିଲେ । ବିଶେଷକରି ସବୁଠାରୁ ଅନୁନ୍ନତ ରାଷ୍ଟ୍ରସମୂହ (ଏଲଡିସି) ଏବଂ ଆଲାଏନ୍ସ ଅଫ ସ୍ମଲ ଆଇଲାଣ୍ଡ ଷ୍ଟେଟସ୍ (ଏଓଏସଆଇଏସ) ରାଷ୍ଟ୍ରଗୁଡିକ ସେମାନଙ୍କୁ ଆଲୋଚନାରେ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ଆଣିଥିଲେ ।
ଭାରତ କହିଛି ଯେ, ବିଶ୍ୱର ବିକାଶଶୀଳ ରାଷ୍ଟ୍ରଗୁଡିକ ଆଲୋଚନାର ତିନିବର୍ଷ ମଧ୍ୟରେ ୧.୩ ଟ୍ରିଲିଅନ ଡଲାର ଦାବି କରୁଥିବାବେଳେ ୩୦୦ ବିଲିଅନ ଡଲାର ବହୁ ପଛରେ ରହିଛି । ତେବେ ଗୃହୀତ ପ୍ରସ୍ତାବରେ କୁହାଯାଇଛି ଯେ ୨୦୦୯ରେ ଯେଉଁ ୧୦୦ ବିଲିଅନ ଡଲାର ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା ତାହା ସ୍ଥାନରେ ୩୦୦ ବିଲିଅନ ଡଲାର ଯୋଗାଇ ଦିଆଯିବ । ଗୃହୀତ ଚିଠା ପ୍ରସ୍ତାବରେ ଆଫ୍ରିକା ଏବଂ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡିକ ୨୦୩୫ ସୁଦ୍ଧା ୧.୩ ଟି୍ରଲିଅନ ଡଲାର ଲକ୍ଷ୍ୟ ହାସଲ କରିବା ନିମନ୍ତେ ବୈଶ୍ୱିକ ଆର୍ଥିକ ବ୍ୟବସ୍ଥା ସହିତ ତାଳଦେଇ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଜଳବାୟୁ ପରିବର୍ତ୍ତନ ମୁକାବିଲା ପ୍ରସଙ୍ଗରେ ସଘନ ଆଲୋଚନା ହେବାପରେ ଗୃହୀତ ଚିଠା ପ୍ରସ୍ତାବରେ କୁହାଯାଇଛି ଯେ ରାଷ୍ଟ୍ରଗୁଡିକ ୨୦୩୫ ସୁଦ୍ଧା ବାର୍ଷିକ ୩୦୦ ବିଲିଅନ ଡଲାର ବହୁବିଧ ଉତ୍ସରୁ ଉପଲବ୍ଧ କରାଇବେ । ସେଥିମଧ୍ୟରେ ସରକାରୀ ଓ ଘରୋଇ, ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସୂତ୍ରରୁ ଏପରିକି ବିକଳ୍ପ ସୂତ୍ରରୁ ଅର୍ଥ ଯୋଗାଇ ଦିଆଯିବ । ଏଥିରେ ପ୍ୟାରିସ ରାଜିନାମାର ଧାରା ୯ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଅର୍ଥ ଲଗାଣ କ୍ଷେତ୍ରରେ ବିକଶିତ ରାଷ୍ଟ୍ରଗୁଡିକ ନେତୃତ୍ୱ ନେବା ଉଚିତ । ତେବେ ପୂର୍ବର ଚିଠା ପ୍ରସ୍ତାବର ଧାରା ୯.୩ରେ ବିକଶିତ ରାଷ୍ଟ୍ରଗୁଡିକ ସେଭଳି କରିବାକୁ ଆଇନଗତ ବାଧ୍ୟ ବାଧକତା ନାହିଁ ବୋଲି କୁହାଯାଇଥିଲା । ଏହା କେବଳ ବିକଶିତ ରାଷ୍ଟ୍ରଗୁଡିକକୁ ଦାୟୀ ନକରି ବିକାଶଶୀଳ ରାଷ୍ଟ୍ରଗୁଡିକ ଅଧିକ ଅବଦାନ ରଖିବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିଥିଲା ।