କଟକ : ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି) ର ୭୬ ତମ ବାର୍ଷିକୀ ପାଳତି ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଏନସିସିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଶୃଙ୍ଖଳିତ ଯୁବଶକ୍ତି ବିକଶିତ ଓଡ଼ିଶା ଗଠନର ଜାଗ୍ରତ ପ୍ରହରୀ ହୋଇ ରାଜ୍ୟର ସାମଗ୍ରିକ ବିକାଶ ଧାରାରେ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ। ସାମାଜିକ ସେବା, ତ୍ୟାଗ ତଥା ରାଷ୍ଟ୍ର ନିର୍ମାଣ ପ୍ରତି ଏନସିସିର ପ୍ରତିବଦ୍ଧତାକୁ ଦର୍ଶାଇବା ପାଇଁ ଏକ ବିଶାଳ ରକ୍ତଦାନ ଶିବିର ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା। ଏଥିରେ ସଭାପତି ଭାବରେ ଏନସିସି ନିର୍ଦ୍ଦେଶାଳୟର ଉପ ମହାନିର୍ଦ୍ଦେଶକ କମୋଡର୍ ମହେଶ ରାହାଙ୍ଗଡ଼ାଲି ଯୋଗ ଦେଇ ଏନସିସି ଦିବସ ପାଳନ ତାପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟର ଯୁବକମାନଙ୍କ ମଧ୍ୟରେ ନେତୃତ୍ୱ, ଶୃଙ୍ଖଳା ଏବଂ ଦେଶପ୍ରେମ ମୂଲ୍ୟବୋଧ ସୃଷ୍ଟି କରିବା ସହ ଏନ୍ସିସିର ଆଦର୍ଶ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବରେ ଗ୍ରୁପ କ୍ୟାପଟେନ ଅମିତ୍ ସାଙ୍ଗୱାନ ଯୋଗ ଦେଇ କହିଥିଲେ ଓଡ଼ିଶାର ଯୁବକମାନଙ୍କ ଉପରେ ଏନସିସିର ସକାରାତ୍ମକ ପ୍ରଭାବ ସେମାନଙ୍କ ଜୀବନକୁ ଆଲୋକପାତ କରିବା ସହିତ ସେମାନଙ୍କୁ ଦାୟିତ୍ୱବାନ ତଥା ଉତ୍ସର୍ଗୀକୃତ ନାଗରିକ ଭାବରେ ଗଢିତୋଳିବାରେ ସାହାଯ୍ୟ କରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ କଟକ ଗ୍ରୁପର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ କ୍ୟାଡେଟମାନଙ୍କର ଅଭିନବ ଚିନ୍ତାଧାରା ଏବଂ ସୃଜନଶୀଳ ଦୃଷ୍ଟିକୋଣ, ଶୃଙ୍ଖଳିତ କାର୍ଯ୍ୟଦକ୍ଷତା ରାଷ୍ଟ୍ର ନିର୍ମାଣରେ ସହାୟକ ହେବ ବୋଲି ଅଭିବ୍ୟକ୍ତ କରିଥିଲେ। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା କଳାକାରଙ୍କ ଦ୍ୱାରା ବିଭିନ୍ନ ସଙ୍ଗୀତ ପରିବେଷଣ କରଯାଇଥିଲା। ଓଡ଼ିଆ କଳା, ସଂସ୍କୃତି, ଐତିହ୍ୟ ଓ ଓଡ଼ିଆ ଅସ୍ମିତାକୁ ନେ଼ଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କ୍ୟାଡେଟମାନଙ୍କ ଦ୍ୱାରା ସମ୍ପ୍ରଦାୟ ସେବା, ସ୍ୱଚ୍ଛତା ଅଭିଯାନ ଶିକ୍ଷା,ବିପର୍ଯ୍ୟୟ ପରିଚାଳନା କୌଶଳ, ପରିବେଶ ସଂରକ୍ଷଣ ଶିକ୍ଷା ଓ ଭାରତୀୟ ସେନାବାହିନୀର ବୀରତ୍ୱ ଓ ସାହସିକତା, ବଳିଦାନ ସମ୍ବନ୍ଧୀୟ ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଆକର୍ଷଣ ଭାବରେ ଐତିହ୍ୟସମ୍ପନ୍ନ ଆଏନଏସ ଚିଲିକା ପାଇପ୍ ବ୍ୟାଣ୍ଡ ଏବଂ ଗୌରବମୟ ଆର୍ମି ଏୟାର ଡିଫେନ୍ସ ମିଲିଟାରୀ ବ୍ୟାଣ୍ଡ ଦ୍ୱାରା ଏକ ବିଶେଷ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା। ଯୋଗ୍ୟବିବେଚିତ କ୍ୟାଡେଟ୍ ଏବଂ ଏନସିସି ଅଧିକାରୀମାନଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ।