କଟକ : ମଙ୍ଗଳାବାଗ ଥାନା ପୋଲିସ ସ୍କୁଟି ଚୋରି କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମର୍କତନଗର ଥାନା ଅନ୍ତର୍ଗତ ଇମାମପଡ଼ା ଅଞ୍ଚଳର ମିର୍ଜା ଆକିବ ବେଗ (୨୪) ଓ ଦରଘାବଜାର ଥାନା ଅନ୍ତର୍ଗତ ହାତୀ ପୋଖରୀର ସଞ୍ଜୁ ଓରଫ ଏମ୍ଡି ସାଜିଦ୍ (୩୫)। ସେମାନଙ୍କ ନିକଟରୁ ଗୋଟିଏ ଆକ୍ଟିଭା ନମ୍ବର ଓଡ଼ି୦୫ଏନ୍୫୨୫୨ ଓ ଗୋଟିଏ ନକଲି ଚାବି ଜବତ ହୋଇଛି।
ଅଭିଯୋଗ ଅନୁଯାୟୀ, ଗତ ୨୦ ତାରିଖରେ ନକୁଳ ସାହୁ ତାଙ୍କର ଏକ ହୋଣ୍ଡା ଆକ୍ଟିଭାକୁ ଗ୍ୟାରେଜ ନିକଟରେ ରଖିଥିଲେ। ସେହି ଦିନ ରାତିରେ ଦୁର୍ବୃତ୍ତ ତାଙ୍କ ଆକ୍ଟିଭା ଚୋରି କରିନେଇଥିଲେ। ଏନେଇ ସେ ମଙ୍ଗଳବାଗ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ତଦନ୍ତ ଅଧିକାରୀ ଏମ୍.ଡି ସାହୁ ଗୁପ୍ତଚର ଆଧାରରେ ମିର୍ଜା ଓ ସଞ୍ଜୁ ସ୍କୁଟି ଚୋରି କରିଥିବା ଜାଣିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏମ୍ଡି ସାଜିଦ୍ ନାଁରେ ପୂର୍ବରୁ ପୁରୀଘାଟ, ଦରଘାବଜାର, କ୍ୟାଣ୍ଟମେଣ୍ଟ ଥାନା, ଲାଲବାଗ ଥାନାରେ ୯ଟି ମାମଲା ସମେତ ଏକ ହତ୍ୟା ମାମଲା ଥିବା ସୂଚନା ମିଳିଛି। ସେହିପରି ମିର୍ଜା ଆକିବ ନାଁରେ ମର୍କତନଗର, ବିଡାନାସୀ ଓ ଲାଲବାଗ ଥାନାରେ ୫ଟି ମାମଲା ଥିବା ସୂଚନା ମିଳିଛି।