ଚଳିତ ବର୍ଷର ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏହି ରିପୋର୍ଟରେ ଭାରତ ୨ଟି ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ରହିଥିବା ଦେଖିବାକୁ ମିଳିଛି । ଗତ ବର୍ଷ ଭାରତ ସପ୍ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଦଶମ ସ୍ଥାନରେ ରହିଛି ।
ସିସିପିଆଇ ରିପୋର୍ଟ ଅନୁସାରେ ମାତ୍ର ୨ଟି ଜି-୨୦ ଦେଶ ସ୍ଥାନ ପାଇଛନ୍ତି। ଏହି ୨ଟି ଦେଶ ମଧ୍ୟରେ ଭାରତ ରଃହିଥିବା ବେଳେ ଅନ୍ୟ ଦେଶଟି ହେଉଛି ବ୍ରିଟେନ। ବ୍ରିଟେନ ଏହି ତାଲିକାରେ ଷଷ୍ଠ ସ୍ଥାନ ହାସଲ କରିଛି ।
ତେବେ ଏହାପୂର୍ବରୁ ୨୦୧୪ ମସିହାରେ ଭାରତ ୩୧ ତମ ସ୍ଥାନ ହାସଲ କରିଥିଲା ଏବଂ ୨୦୧୯ ମସିହାରେ ଶୀର୍ଷ ୧୦ ସ୍ଥାନ ମଧ୍ୟରେ ରହିଥିଲା । ଭାରତ ଅକ୍ଷୟ ଶକ୍ତି ବିଶେଷ କରି ସୌର ଶକ୍ତି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ବେଳେ କୋଇଲା ବ୍ୟବହାର ଉପରେ ନିର୍ଭରଶୀଳତା ବଜାୟ ରଖିବା ଯୋଗୁଁ ୨ଟି ସ୍ଥାନ ତଳକୁ ଖସି ଆସିଥିବା କୁହାଯାଉଛି।
ଅପରପକ୍ଷରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଲିକାର ଶୀର୍ଷ ୩ଟି ସ୍ଥାନ ଖାଲି ପଡ଼ିଛି । ପର୍ଯ୍ୟାପ୍ତ ସ୍କୋର ଅଭାବରୁ କୌଣସି ଦେଶ ଶୀର୍ଷ ୩ ସ୍ଥାନରେ ପହଞ୍ଚିପାରି ନଥିବାରୁ ଏହି ସ୍ଥାନ ଖାଲି ପଡିଛି । ସେହିପରି ଚତୁର୍ଥ ସ୍ଥାନରେ ଡେନମାର୍କ, ପଞ୍ଚମରେ ନେଦରଲ୍ୟାଣ୍ଡ ଏବଂ ଷଷ୍ଠ ସ୍ଥାନରେ ବ୍ରିଟେନ ରହିଛି।
ଏହି ତାଲିକାରେ ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ୫୭ତମ ସ୍ଥାନରେ ଥିବା ବେଳେ ଚୀନ ୫୫ତମ ସ୍ଥାନ ହାସଲ କରିଛି । ସୂଚକାଙ୍କର ସବୁଠୁ ଶେଷରେ ଦେଶ ଇରାନ, ସାଉଦି ଆରବ ଅଛନ୍ତି । ଦକ୍ଷିଣ କୋରିଆ, ଋଷ ଏବଂ ସାଉଦି ଆରବ ଦେଶକୁ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ମାନକରେ ‘ଅତି ନିମ୍ନ’ ମାନ୍ୟତା ସହିତ ଖରାପ ପ୍ରଦର୍ଶନକାରୀ ଦେଶ ଭାବେ ଦର୍ଶାଯାଇଛି ।