ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିର ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ କେ ଏଲ ରାହୁଲ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ଯୋଡି ତୃତୀୟ ଦିନରେ ଓପନିଂ ଯୋଡିରେ ୨୦୧ ରନ୍ର ଭାଗୀଦାର କରିବା ସହିତ ଇତିହାସ ସୃଷ୍ଟି କରିଛନ୍ତି । ଏହା ଅଷ୍ଟ୍ରେଲିଆରେ ଭାରତ ପାଇଁ ଓପନିଂ ଯୋଡିରେ ସର୍ବାଧିକ ସ୍କୋର ହୋଇଛି । ସେମାନଙ୍କ ଯୋଡି ପୂର୍ବରୁ ଗାଭାସ୍କର-ଶ୍ରୀକାନ୍ତଙ୍କ ଯୋଡି ସିଡନିରେ ୧୯୮୬ରେ ସ୍କୋର କରିଥିବା ୧୯୧ ରନ୍କୁ ଅତିକ୍ରମ କରିଯାଇଛନ୍ତି । ୨୦୧ ରନ ସହଭାଗୀତା ମଧ୍ୟରେ ଜୟସ୍ୱାଲଙ୍କର ଶତକ ଅନ୍ତର୍ଭୁକ୍ତ । ଏହି ଦୁଇ ଭାରତୀୟ ରବିବାର ପର୍ଥରେ ଭାରତ ପାଇଁ ଏହି ନୂଆ ରେକର୍ଡ କରିଛନ୍ତି ।
ଜୟସ୍ୱାଲ ଏବଂ ରାହୁଲଙ୍କ ଯୋଡି ସଂଗ୍ରହ କରିଥିବା ରନ୍ ଭାରତ ପାଇଁ ପ୍ରଥମ ଟେଷ୍ଟରେ ଏକ ମଜଭୁତ ମୂଳଦୁଆ ପକାଇଛି । ପୂର୍ବରୁ ଜ୍ୟାକ ହବସ୍ ଏବଂ ୱିଲଫ୍ରେଡ ରୋଡେସ ୧୯୧୨ରେ ମେଲବୋର୍ଣ୍ଣରେ ୩୨୩ ରନ୍ର ଭାଗୀଦାର କରିଥିଲେ । ସେହିପରି ୧୯୨୫ରେ ଇଂଲଣ୍ଡ ପକ୍ଷରୁ ଜ୍ୟାକ ହବସ୍ ଏବଂ ହର୍ବର୍ଟ ସଟ୍କ୍ଲିଫ ୨୮୩, ଇଂଲଣ୍ଡର ବବ୍ ବାର୍ବର ଏବଂ ଜିଓଫ୍ରେ ବୟକଟ୍ ୧୯୬୬ରେ ୨୩୪, ତାଙ୍କ ଦେଶର ବିଲ୍ ଆଥେ ଏବଂ କ୍ରିସ ବୋର୍ଡ ୧୯୮୬ରେ ୨୨୩, ସେହି ଇଂଲଣ୍ଡର ମାଇକେଲ ଆର୍ଥରଟନ୍ ଏବଂ ଗ୍ରାହାମ ଗୁଚ୍ ୧୯୯୧ରେ ୨୦୩ ଭାଗୀଦାର କରିଥିଲେ । ଭାରତ ପକ୍ଷରୁ ଚଳିତ ମ୍ୟାଚରେ କେ ଏଲ ରାହୁଲ ବେଶ୍ ସ୍ଥିରଚିତ୍ତରେ ଖେଳ ଜାରି ରଖିବା ସହିତ ୧୭୬ ବଲ୍ରୁ ୭୭ ରନ ସଂଗ୍ରହ କରିଥିଲେ । ଅବଶ୍ୟ ପରେ ସେ ୬୩ତମ ଓଭରରେ ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ ହୋଇଯାଇଥିଲେ । ତେବେ ଜୟସ୍ୱାଲ କିଛି ସମୟ ଜଗିରଖି ଖେଳିବା ସହିତ ନିଜର ଶତକ ହାସଲ କରିଥିଲେ । ସେ ୨୦୫ ବଲରୁ ଶତକ ମାରିଥିଲେ । ତାଙ୍କର ୧୦୦ ରନ ମଧ୍ୟରେ ୮ଟି ଚୋକା ଏବଂ ୩ଟି ଛକା ଥିଲା । ଏହି ଓପନିଂ ଯୋଡି ଅଷ୍ଟ୍ରେଲିଆ ଶତକ ପୂରଣ କରିବା ପରେ ସେଥିପାଇଁ ଭାରତର ୧୯ ବର୍ଷର ପ୍ରତୀକ୍ଷାରେ ଅନ୍ତ ଘଟିଛି । ପୂର୍ବରୁ ବୀରେନ୍ଦ୍ର ସେହ୍ୱାନ ଏବଂ ଆକାଶ ଚୋପ୍ରା ୨୦୦୪ରେ ଓପନିଂ ଯୋଡିରେ ୧୨୩ ରନ ସଂଗ୍ରହ କରିଥିଲେ ।