ପର୍ଥ,୨୪ା୧୧: ଏଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି । ଏଥିସହିତ ଭାରତ ୪୮୭/୬ରେ ନିଜର ଦ୍ୱିତୀୟ ପାଳି ସମାପ୍ତି ଘୋଷଣା କରି ଅଷ୍ଟ୍ରେଲିଆ ଆଗରେ ୫୩୪ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଅଷ୍ଟ୍ରେଲିଆ ମାଟରେ କୋହଲିଙ୍କର ଏହା ୭ମ ଟେଷ୍ଟ ଶତକ । କିଛିଦିନ ପୂର୍ବରୁ ଭାରତୀୟ ଦଳର ନିଜ ଘରୋଇ ମାଟରେ ନୁ୍ୟଜିଲାଣ୍ଡ ନିକଟରୁ ୦-୩ରେ ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ଦଳ ଅନୁରୂପ ଭାବରେ ଏହା ଉପରେ ଆଧିପତ୍ୟ ଜାହିର କରିବାକୁ ଯେଉଁ ଆଶା ରଖିଥିଲା ତାହା ଚାଲେଞ୍ଜ ମନେହେଉଛି । ପ୍ରଥମ ପାଳିରେ ମାତ୍ର ୫ ରନରେ ଆଉଟ ହୋଇଯାଇଥିବା କୋହଲି ଦ୍ୱିତୀୟ ପାଳିରେ ତାହାର ପ୍ରତିଶୋଧ ନେବା ସହିତ ଚୋକା ମାରି ଶତକ ହାସଲ ସହ ନିଜ ଫର୍ମକୁ ଫେରିଛନ୍ତି । କୋହଲିଙ୍କର ଏହା ବ୍ୟକ୍ତିଗତ ୩୦ତମ ଟେଷ୍ଟ ଶତକ ହୋଇଛି । ତାହାସହିତ କୋହଲି ଅଷ୍ଟ୍ରେଲିଆରେ ସର୍ବାଧିକ ଶତକ ହାସଲରେ ସଚିନ ତେନ୍ଦୁଲକରଙ୍କୁ ଟପି ଯାଇଛନ୍ତି । ଭାରତୀୟ ଖେଳାଳି ଭାବରେ ତେନ୍ଦୁଲକର ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ୬ଟି ଟେଷ୍ଟ ଶତକ ହାସଲ କରିଥିଲେ । ତେବେ ଅଷ୍ଟ୍ରେଲିଆରେ କୋ÷ଣସି ବିଦେଶୀ ଖେଳାଳି ସର୍ବାଧିକ ଶତକ ହାସଲ କରିବା ରେକର୍ଡ ଇଂଲଣ୍ଡର ଜ୍ୟାକ୍ ହବସଙ୍କ ନାମରେ ରହିଛି । ସେ ୯ଟି ଟେଷ୍ଟ ଶତକ ହାସଲ କରିଛନ୍ତି । କୋହଲି ୭ଟି ଟେଷ୍ଟ ଶତକ ହାସଲ କରି ୱାଲଟର ହାମଣ୍ଡଙ୍କ ସହିତ ମିଳିତ ଭାବରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କୋହଲି ୯୬ ରନ ସଂଗ୍ରହ କରିଥିବାବେଳେ ଗୋଟିଏ ଲମ୍ବା ସଟ୍ ଖେଳିଥିଲେ । ତେବେ ତାହା ଚୋକା ହେଲା କି ନାହିଁ ତାହାକୁ ନେଇ କୋହଲି ସନେ୍ଦହରେ ରହିଥିବାବେଳେ ଅମ୍ପାୟାର ତାହା ଚୋ÷କା ବୋଲି ଘୋଷଣା କରିବା ପରେ କୋହଲି ଉପରକୁ ହାତ ଉଠାଇ ନିଜକୁ ଆଶ୍ୱସ୍ତ କରିଥିଲେ । ଠିକ୍ ତାହା ପରେ ପରେ ପ୍ରଥମ ଟେଷ୍ଟରେ ଅଧିନାୟକତ୍ୱ କରୁଥିବା ଯଶପ୍ରୀତ ବୁମରା ଭାରତୀୟ ଦଳର ପାଳି ୪୮୭/୬ରେ ସମାପ୍ତି ଘୋଷଣା କରିଥିଲେ ।