ନୂଆଦିଲ୍ଲୀ : ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହା ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଥିବା ସୂଚନା ମିଳିଛି। ତେବେ ତାଲିକାଭୁକ୍ତ ବିଧେୟକ ମଧ୍ୟରୁ ୫ଟି ବିଧେୟକ ନୂଆ ହୋଇଥିବାବେଳେ ଅବଶିଷ୍ଟ ୧୦ଟି ବିଧେୟକ ଆଗତ ହୋଇସାରିଛି। ନିୟମ ଅନୁଯାୟୀ ପ୍ରଥମ ସପ୍ତାହର ଶେଷ ଦିନରେ ୱାକଫ ସଂଶୋଧନ ବିଧେୟକ ଉପରେ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ପ୍ରଦାନ କରିବେ।
ପ୍ରକାଶଥାଉ କି, ଗତ ମୌସୁମୀ ଅଧିବେଶନ ସମୟରେ ୱାକଫ ସଂଶୋଧନ ବିଧେୟକ ଲୋକସଭାରେ ଆଗତ ହେବା ପରେ ଏହା ଉପରେ ଅଧିକ ତର୍ଜମା କରିବା ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଥିଲା। ଜେପିସି ଏହା ଉପରେ ତର୍ଜମା କରିବା ସହିତ ସାଧାରଣ ଜନତାଙ୍କ ମତାମତ ନେଇଛି। ଅପରପକ୍ଷରେ ତାଲିକାଭୁକ୍ତ ଅନ୍ୟ ବିଧେୟକ ମଧ୍ୟରେ କୋଷ୍ଟାଲ ସିପିଂ ବିଲ୍, ଇଣ୍ଡିଆନ ପୋର୍ଟ୍ସ ବିଲ୍, ମର୍ଚ୍ଚାଣ୍ଟ ସିପିଂ ବିଲ୍, ଭାରତୀୟ ବାୟୁଯାନ ବିଲ୍ ଆଦି ପ୍ରମୁଖ ପ୍ରସଙ୍ଗ ରହିଛି। ଏହାସହିତ ବିରୋଧୀ ଦଳଗୁଡିକ ଏହି ଅଧିବେଶନ କାଳରେ ଗୌତମ ଅଦାନୀଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ପ୍ରସଙ୍ଗ, ମଣିପୁର ହିଂସା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିବା ସମ୍ଭାବନା ରହିଛି।