ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ୩ ଦିନିଆ ‘ଓଡିଶା ପର୍ବ-୨୦୨୪’ ଉଦ୍ଯାପନ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆରେ ଭାଷଣ ଆରମ୍ଭ କରି ଦିଲ୍ଲୀଠାରେ ଅନୁଷ୍ଠିତ ଏହି ଓଡିଶା ପର୍ବକୁ ଓଡ଼ିଆ ସାଂସ୍କୃତିକ ମହାକୁମ୍ଭ ଭାବେ ବିବେଚନା କରିଥିଲେ। ଏହାସହିତ ବିଭିନ୍ନ ଷ୍ଟଲ ବୁଲିବା ସହିତ ଚା’ ପିଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ସେ ଓଡ଼ିଶାକୁ ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ ବୋଲି ଅଭିହିତ କରିବା ସହିତ ଓଡ଼ିଶା ସବୁ ସମୟରେ ଭାରତ ତଥା ମାନବ ସମାଜର ସେବା କରିଆସିଥିବା କହିଥିଲେ। ସେହିପରି ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା ଭାରତୀୟ ନୌବାଣିଜ୍ୟ ପରମ୍ପରା ଏବଂ ଓଡିଆ ନାବିକଙ୍କ ସାମର୍ଥ୍ୟକୁ ପରିପୁଷ୍ଠ କରିଥିବା କହି ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ବାଲିଯାତ୍ରା ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇଥିଲେ। ଏହାସହିତ ଓଡିଶୀ ନୃତ୍ୟ ପାଇଁ ଓଡିଶୀ ଦିବସ ଏବଂ ସମୃଦ୍ଧ ଆଦିବାସୀ ପରମ୍ପରାର ପ୍ରଚାର ପ୍ରସାର ଦ୍ୱାରା ଉଭୟ ପର୍ଯ୍ୟଟନ ଓ କୁଟୀର ଶିଳ୍ପର ଅଭିବୃଦ୍ଧି ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଅପରପକ୍ଷରେ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମୋଦୀ ସରକାରଙ୍କ ସବ୍କା ସାଥ ସବକା ବିକାଶ ମନ୍ତ୍ରର ଓଡିଶା ସବୁଠାରୁ ଅଧିକ ଲାଭାର୍ଥୀ ରାଜ୍ୟ । ଓଡିଶାର ମହାପୁରୁଷ ସନ୍ଥ ଭୀମଭୋଇ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ଗରିବ କଲ୍ୟାଣ ତତ୍ତ୍ୱ ଏବେ ଭାରତ ସରକାର ଶାସନ ବ୍ୟବସ୍ଥାର ପ୍ରଣାଳୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ଆଗାମୀ ୨୩ ବର୍ଷ ପ୍ରତ୍ୟେକ ନାଗରିକଙ୍କ ପାଇଁ କର୍ତ୍ତବ୍ୟ ଓ ଦାୟିତ୍ବକାଳ ରହିବ।
ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଓଡ଼ିଆ ଭାଷା ମହାପ୍ରଭୁ ଜଗନ୍ନାଥଙ୍କ ଭାଷା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଜନରେ ପୂର୍ବ ଭାରତରେ ଓଡ଼ିଶାର ସ୍ଥାନ ପ୍ରଥମ। ମୋଦୀ ସରକାରଙ୍କ ସମୟରେ ରାଜ୍ୟକୁ ୧୦ ହଜାର କୋଟି ଟଙ୍କାର ରେଳ ଅନୁଦାନ ମିଳିଥିବା ବେଳେ ଗତ ୧୦ ଵର୍ଷରେ ୧୮୦୦ ଶହ କିଲୋମିଟର ରେଳପଥ ନିର୍ମାଣ ହୋଇଛି, ଯାହା ଶ୍ରୀଲଙ୍କା ଭଳି ରାଷ୍ଟ୍ରର ସମୁଦାୟ ରେଳରୁଟ୍ ଠାରୁ ଅଧିକ। ରାଜ୍ୟର ଅପହଞ୍ଚ ଇଲାକାରେ ୫୩୩୩ଟି ନୂତନ ମୋବାଇଲ ଟାୱାର ନିର୍ମାଣ ହୋଇଛି। ସେହିପରି ରାଜ୍ୟର ୪ଟି ଶିକ୍ଷା ଅନୁଷ୍ଠାନରେ ସେମିକଣ୍ଡକ୍ଟର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।