ନୂଆଦିଲ୍ଲୀ: ସୋମବାର ଷ୍ଟକ ମାର୍କେଟ ରେ ମହାରାଷ୍ଟ୍ର ନିର୍ବାଚନର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳରୁ ମାର୍କେଟ ଖୋଲିବା ପରେ ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ସେୟାର ମାର୍କେଟରେ ସେନ୍ସେକ୍ସର ପରିମାଣ ୧୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିବା ବେଳେ ନିଫ୍ଟି ମଧ୍ୟ ୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ୩୦ ମିନିଟ ମଧ୍ୟରେ ସେନ୍ସେକ୍ସ ୧୧୪୫.୯୨ ବୃଦ୍ଧି ପାଇ ୮୦,୨୬୩ରେ ପହଞ୍ଚିଥିଲା। ସେହିପରି ନିଫ୍ଟି ମଧ୍ୟ ୩୫୩.୨୫ ପଏଣ୍ଟ ବୃଦ୍ଧି ପାଇ ୨୪,୨୬୦.୫୦ରେ ପହଞ୍ଚିଥିଲା।
ତେବେ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଶନିବାର ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଗାଶନ ହୋଇଥିବାରୁ ଷ୍ଟକ ମାର୍କେଟରେ ଏପରି ଅଭିବୃଦ୍ଧି ଘଟିଥିଲା। ଚଳିତ ନିର୍ବାଚନରେ ବିଜେପି ମେଣ୍ଟ ବିଜୟୀ ହୋଇଥିବାରୁ ମାର୍କେଟରେ ଉନ୍ନତି ଦେଖିବାକୁ ମିଳିବ ସହିତ ସେନ୍ସେକ୍ସ ଓ ନିଫ୍ଟିରେ ବୃଦ୍ଧି ଘଟିଥିଲା। ତେବେ ଆଗାମୀ କିଛି ଘଣ୍ଟାରେ ଉଭୟ ସେନ୍ସେକ୍ସ ଓ ନିଫ୍ଟିରେ ଆହୁରି ବୃଦ୍ଧି ଘଟିବା ସମ୍ଭାବନା ଥିବା ମତ ଦେଇଛନ୍ତି ଷ୍ଟକମାର୍କେଟ ସମୀକ୍ଷକ ।
ପ୍ରକାଶଥାଉ କି, ଶୁକ୍ରବାର ଦିନ ମାର୍କେଟରେ ଅଭିବୃଦ୍ଧି ହାର ବୃଦ୍ଧି ପାଇ ସେନ୍ସେକ୍ସ ୧୯୬୧.୩୨ ପଏଣ୍ଟ (୨.୫୪%) ବୃଦ୍ଧି ପାଇ ୭୯,୧୧୭.୧୧ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ମଧ୍ୟ ୫୫୭.୩୫ (୨.୩୯%) ବୃଦ୍ଧି ପାଇ ୨୩,୯୦୭.୨୫ ପଏଣ୍ଟରେ ବନ୍ଦ ହୋଇଥିଲା।