କାନପୁର,୨୫ା୧୧: ଗୁଗଲ ମ୍ୟାପ ଭୁଲ ରାସ୍ତା ଦେଖାଇବାରୁ ସେହି ରାସ୍ତାରେ ଯାଇ ତିନିଜଣ ଲୋକ କାର୍ ସହିତ ଅର୍ଦ୍ଧନିର୍ମିତ ପୋଲ ତଳକୁ ଖସିପଡିଛନ୍ତି । ଦୁର୍ଘଟଣାରେ ସେମାନଙ୍କର ମୃତୁ୍ୟ ଘଟିବା ସହିତ କାର୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏଭଳି ଅଘଟଣ ଘଟିଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ । ଶନିବାର ରାତିରେ ଉକ୍ତ ଲୋକମାନେ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭକରି ବରେଲିରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ । ସେମାନେ ସ୍ଥାନ ଖୋଜିବା ନିମନ୍ତେ ଗୁଗଲ ମ୍ୟାପ୍ର ସହାୟତା ନେଇଥିଲେ । ତେବେ ସେମାନଙ୍କର ଜିପିଏସ୍ ସେମାନଙ୍କୁ ଯେଉଁ ରାସ୍ତାରେ ଯିବାକୁ ଦେଖାଇଥିଲା ସେମାନେ ସେହି ବାଟରେ ଯିବା ପରେ ନଦୀ ଉପରେ ଏକ ସେତୁ ଆସିଥିଲା । କିନ୍ତୁ ଉକ୍ତ ସେତୁଟି ଅର୍ଦ୍ଧନିର୍ମିତ ବୋଲି ଜଣାପଡିନଥିଲା । ସେମାନେ କାର୍ ଯୋଗେ ସେତୁରେ ରାତି ସମୟରେ ଯାଉଥିବାବେଳେ ସେତୁ ଅଧା ରହିଥିବା ସ୍ଥାନରେ ପ୍ରାୟ ୫୦ ଫୁଟ ତଳକୁ ରାମଗଙ୍ଗା ନଦୀ ଗର୍ଭକୁ ଖସିପଡିଥିଲେ । ରବିବାର ସକାଳେ ସ୍ଥାନୀୟ ଲୋକମାନେ ଦୂରରୁ ନଦୀ ଗର୍ଭରେ ଏକ ଭଙ୍ଗାରୁଜା ଅବସ୍ଥାରେ କାର ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ତିନିଜଣଙ୍କର ମୃତଦେହକୁ କାର ଭିତରୁ ବାହାର କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ମୃତକଙ୍କ ପରିବାରବର୍ଗ ଦୁର୍ଘଟଣା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ସେମାନେ କହିଛନ୍ତି, ସେତୁ କାମ ଅଧା ରହିଥିବାବେଳେ ସେଠାରେ କାହିଁକି ବ୍ୟାରିକେଡ ଦିଆଯାଇନଥିଲା । ସେଥିପାଇଁ ସେମାନଙ୍କ ନିର୍ମାଣ ବିଭାଗ ଅଧିକାରୀଙ୍କ ବିରୋଧରେ ଦାୟିତ୍ୱ ଅବହେଳା ପାଇଁ ଏତଲା ଦେବାକୁ ଦାବି କରିଛନ୍ତି ।