ପର୍ଥ,୨୫ା୧୧: ସ୍ଥାନୀୟ ଓପସ୍ ଷ୍ଟାଡିୟମରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିବା ସହିତ ଏହି ପାଞ୍ଚଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ତାହାସହିତ ଏହି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇବାରେ ଭାରତ ପ୍ରଥମ ଦଳ ଭାବରେ ଇତିହାସ ସୃଷ୍ଟି କରିଛି । ଏଥିସହିତ ପ୍ରଥମ ଟେଷ୍ଟରେ ଯଶପ୍ରୀତ ବୁମରାଙ୍କ ଅଧିନାୟକତ୍ୱ ଭାରତ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳ ବିପକ୍ଷରେ ଭାରତ ପାଇଁ ଏହା ମଧ୍ୟ ସର୍ବବୃହତ ବିଜୟ ହୋଇଛି । ତୃତୀୟ ଦିନରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଚତୁର୍ଥ ଦିନରେ ଅସମାପ୍ତ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ଅତ୍ୟନ୍ତ ହତାଶାଜନକ ଭାବରେ ପରାସ୍ତ ହୋଇଥିଲା । ପ୍ୟାଟ୍ କୁ୍ୟମିନ୍ସଙ୍କର କୋ÷ଣସି ପ୍ରଚେଷ୍ଟା ଭାରତ ଉପରେ ପ୍ରଭାବ ପକାଇ ପାରିନଥିଲା । ସୂଚନାଯୋଗ୍ୟ ଯେ ଓଭାଲରେ ଅନୁଷ୍ଠିତ ଡବ୍ଲୁ୍ୟଟିସି ଫାଇନାଲ ଏବଂ ଅହମଦାବାଦରେ ଅନୁଷ୍ଠିତ ୨୦୨୩ ଓଡ଼ିଆ ବିଶ୍ୱ କପ୍ ଫାଇନାଲରେ କୁ୍ୟମିନ୍ସ ଲକ୍ଷାଧିକ ଭାରତୀୟ ଦର୍ଶକଙ୍କୁ ଚୁପ୍ କରାଇ ଦେଇଥିଲେ । ଏଥର କିନ୍ତୁ ବାଜି ଓଲଟି ଯାଇଥିଲା । ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆ ଦଳକୁ ନିଜର ଗୁରୁତ୍ୱପୂର୍ଣ୍ଣ ଷ୍ଟାଡିୟମ୍ରେ ଧୂଳି ଚଟାଇଛି । ତୃତୀୟ ଦିନରେ ଭାରତ ପ୍ରତିପକ୍ଷ ନିକଟରେ ୫୩୪ ରନ୍ର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଚତୁର୍ଥ ଦିବସରେ ଅଷ୍ଟ୍ରେଲିଆକୁ ୨୩୮ରେ ଅଲ୍ଆଉଟ କରିଦେଇ ୧-୦ରେ ସିରିଜ ଅଗ୍ରଣୀ ରହିଛି ।
ଏହି ବିଜୟ ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ (ଡବ୍ଲୁ୍ୟଟିସି)ରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ପର୍ଥ ବିଜୟ ପରେ ଭାରତ ମୋଟ ୬୧.୧୧ ପ୍ରତିଶତ ପଏଣ୍ଟ ହାସଲ କରିଛି । ରନ ତାରତମ୍ୟ ଦୃଷ୍ଟିରୁ ଭାରତ ପାଇଁ ଏହା ସର୍ବବୃହତ ହୋଇଛି ଏବଂ ଭାରତ ପୂର୍ବରୁ ୧୯୭୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୨୨ ରନ ବ୍ୟବଧାନର ବିଜୟ ରେକର୍ଡକୁ ମଧ୍ୟ ଟପିଯାଇଛି । ଭାରତ ପ୍ରଥମ ପାଳିରେ ମାତ୍ର ୧୫୦ରେ ଅଲ୍ଆଉଟ ହେବାପରେ ଅଷ୍ଟ୍ରେଲିଆ ନିଜର ବିଜୟ ଏକପ୍ରକାର ନିଶ୍ଚିତ ବୋଲି ଧରିନେଇଥିଲା । କିନ୍ତୁ ଭାରତ ଦ୍ୱିତୀୟ ପାଳିରେ ଏଭଳି ନାଟକୀୟ ଭାବରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ପ୍ରତିପକ୍ଷ କେବେ କଳ୍ପନା ମଧ୍ୟ କରିନଥିଲା । ଏପରିକି ଏହି ବିଜୟ ସହିତ ଭାରତୀୟ ଦଳ ଘରୋଇ ମାଟିରେ କିଛିଦିନ ତଳେ ନୁ୍ୟଜିଲାଣ୍ଡ ନିକଟରୁ ୦-୩ର ଶୋଚନୀୟ ସିରିଜ ପରାଜୟର ଗ୍ଳାନିକୁ ମଧ୍ୟ ଦୂର କରିଦେଇଛନ୍ତି । ପ୍ରଥମ ଟେଷ୍ଟରେ ଅଧିନାୟକତ୍ୱ କରୁଥିବା ଯଶପ୍ରୀତ ବୁମରାଙ୍କର ମୋଟ ୮ ୱିକେଟ ହାସଲ ସହିତ ଯଶସ୍ୱୀ ଜୟସ୍ୱାଲ ଏବଂ ବିରାଟ କୋହଲିଙ୍କର ଶତକ ଦ୍ୱିତୀୟ ପାଳିରେ ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା । ସୂଚନାଯୋଗ୍ୟ ଯେ ଚଳିତ ମ୍ୟାଚରେ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଖେଳିନାହାନ୍ତି ।