ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୋମବାର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ଅଧକ ଘନିଭୂତ ହୋଇ ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା ଅଛି । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ଫେଙ୍ଗାଲ ରହିବ। ଏହା ତାମିଲନାଡ଼ୁ ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ । କିନ୍ତୁ ଓଡ଼ିଶା ଉପରେ ଏହି ଲଘୁଚାପର ବିଶେଷ ପ୍ରଭାବ ରହିବନି ।
ଅପରପକ୍ଷରେ ରାଜ୍ୟରେ ଶୀତ ପ୍ରକୋପ ୨-୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କିନ୍ତୁ କନ୍ଧମାଳରେ ଶୀତ ଲହରୀ ଜାରି ରହିଥିବା ବେଳେ ପାରଦ ୧୦ ଡିଗ୍ରୀ ରେକର୍ଡ ହୋଇଥିଲା । ଏହାସହିତ ସକାଳେ ଘନ କୁହୁଡି ପରିଲକ୍ଷିତ ହୋଇଥିଲା। ରାଜ୍ୟର ୧୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୮.୨ ଡିଗ୍ରୀ ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ୧୦ ଡିଗ୍ରୀ ରେକର୍ଡ଼ ହୋଇଥିଲା । ଶିମିଳିଗୁଡ଼ାରେ ୧୦.୬ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ଭବାନୀପାଟଣାରେ ୧୧ ଲେଖାଏଁ, ରାଉରକେଲାରେ ୧୧.୨, ଝାରସୁଗୁୁଡ଼ାରେ ୧୧.୫, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟରେ ୧୧.୮ ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଥିଲା । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୨୮ ତାରିଖରୁ ଉପକୂଳ ଓଡିଶା ଯଥା ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ସେହିପରି ୨୯ ତାରିଖରେ ଗଞ୍ଜାମ, ଗଜପତି ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।