ପର୍ଥ: ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଡିଲେଡରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଅଷ୍ଟ୍ରେଲିଆ ପ୍ଲେୟିଂ ଇଲେଭେନରେ ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ଅଧିନାୟକ ପ୍ୟାଟ୍ କୁ୍ୟମିନ୍ସ କହିଛନ୍ତି । ପ୍ରଥମ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଅଷ୍ଟ୍ରେଲିଆ ଦଳରେ କୋଣସି ପରିବର୍ତ୍ତନ ହେବା ସମ୍ଭାବନା କ୍ଷୀଣ ବୋଲି କହିଛନ୍ତି କୁ୍ୟମିନ୍ସ । ଏଥିସହିତ କୁ୍ୟମିନ୍ସ କହିଛନ୍ତି ଯେ, ଚଳିତ ଏକାଦଶ ସର୍ବୋତ୍ତମ ବୋଲି ସେ ମନେ କରୁଛନ୍ତି । ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଦଳ ୫୩୪ ରନ୍ ଲକ୍ଷ୍ୟ ନେଇ ତୃତୀୟ ଦିନ ଖେଳ ଶେଷସୁଦ୍ଧା ୩ ୱିକେଟ ହରାଇ ୧୨ ରନ୍ ସଂଗ୍ରହ କରିଥିଲା । ଚତୁର୍ଥ ଦିବସରେ ଏହା ମାତ୍ର ୨୩୮ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ।
ଅଷ୍ଟ୍ରେଲିଆ ଦଳ ୧୯୭୦ ଠାରୁ ଉଭୟ ଘରୋଇ ଓ ବିଦେଶ ମାଟିରେ ମାତ୍ର ଗୋଟିଏ ଟେଷ୍ଟ ସିରିଜରେ ବିଜୟ ହାସଲ କରିଛି । ଏହା ୨୪ଟିରେ ପରାଜିତ ହୋଇଥିବାବେଳେ ପାଞ୍ଚଟି ସିରିଜ ଡ୍ର’ ରଖିଛି । ଏହି ପାଞ୍ଚଟି ଡ୍ର’ ମଧ୍ୟରେ ଦୁଇଟି ଦୁଇ-ମ୍ୟାଚ ବିଶିଷ୍ଟ ସିରିଜ ରହିଛି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୁ୍ୟମିନ୍ସ କହିଛନ୍ତି, ସେ ଜଣେ ମନୋନୟନକାରୀ ନୁହନ୍ତି; କିନ୍ତୁ ଦଳରେ ସେଭଳି କିଛି ବଡଧରଣର ପରିବର୍ତ୍ତନ ହେବା ସମ୍ଭାବନା କ୍ଷୀଣ । ଏବେ ଯେଉଁ ପ୍ଲେୟିଂ ଇଲେଭେନ ରହିଛି, ତାହା ସର୍ବୋତ୍ତମ । ତାହାଛଡା ଆଉ ୪ଟି ଟେଷ୍ଟ ମ୍ୟାଚ ବାକି ରହିଛି । ତେଣୁ ଏବେଠାରୁ ଦଳରେ ପରିବର୍ତ୍ତନ ନେଇ କିଛି ଚିନ୍ତା କରିବା ଉଚିତ ହେବନାହିଁ ।