ବିଜୟନଗର,୨୬|୧୧: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡିଶା ଦ୍ଵିତୀୟ ପରାଜୟ ବରଣ କରିଛି। ଚଳିତ ମାସ ୨୩ ଠାରୁ ଏହି ସିରିଜ ଆରମ୍ଭ ହୋଇଛି ଏବଂ ଏହା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୩୮ଟି ଦଳ ଅଂଶଗ୍ରହଣ କରିଛନ୍ତି । ରଣଜୀ ଟ୍ରଫିରେ ପ୍ରଥମ ଶତକ ଅର୍ଜନ କରିଥିବା ସ୍ବସ୍ତିକ ସାମଲ ୧୨ ଦିନ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରଥମ ଶତକ ଅର୍ଜନ କରିଥିବା ସତ୍ତ୍ୱେ ଓଡିଶା ପରାସ୍ତ ହୋଇଛି। ବିଜୟନଗରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରେଳବାଇ ବିପକ୍ଷରେ ସେ ୬୩ ବଲ୍ରୁ ୮ଟି ଚୌକା ଓ ୬ଟି ଛକା ସହାୟତାରେ ୧୦୫ ରନ୍ ସଂଗ୍ରହ କରିଥିବା ସତ୍ତ୍ବେ ସେ ଦଳକୁ ଜିତାଇପାରି ନଥିଲେ। ଓଡ଼ିଶା ୫ ୱିକେଟ ବିନିମୟରେ ୧୯୪ ରନ ହାସଲ କରିଥିବା ବେଳେ ଏହାର ଜବାବରେ ରେଳବାଇ ୩ ୱିକେଟ୍ ବିନିମୟରେ ୧୯୮ ରନ ହାସଲ କରି ମ୍ୟାଚ୍ ଜିତି ନେଇଥିଲା। ଫଳରେ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏହା ଓଡ଼ିଶାର ଲଗାତାର ଦ୍ବିତୀୟ ପରାଜୟ ହୋଇଛି। ଆସନ୍ତା ୨୯ ତାରିଖରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ପୁଡୁଚେରୀ ବିପକ୍ଷରେ ଖେଳିବ।
ସୂଚନାଯୋଗ୍ୟ ଯେ, ମ୍ୟାଚ ଆରମ୍ଭରେ ଓଡ଼ିଶାର ଅଲ୍ରାଉଣ୍ଡର ସମ୍ବିତ ବରାଳ ବ୍ୟାଟିଂ କରିଥିଲେ। ସ୍ବସ୍ତିକ ଆରମ୍ଭରୁ ଦ୍ରୁତ ରନ୍ କରୁଥିଲା ବେଳେ ଗୌରବ ଚୌଧୁରୀ ମଧ୍ୟ ତାଙ୍କୁ ଭଲ ସହଯୋଗ ଦେଇଥିଲେ। ପ୍ରଥମ ୱିକେଟ୍ରେ ୩୨ ବଲ୍ରୁ ୫୨ ରନ୍ର ଭାଗୀଦାରି ହେବା ପରେ ୧୯ ରନ୍ କରି ଗୌରବ ଆଉଟ୍ ହୋଇଥିଲେ। ସେହିପରି ସନ୍ଦୀପ ପଟ୍ଟନାୟକ ୫ ରନ୍ରେ ବ୍ୟାଟିଂ କରୁଥିଲା ବେଳେ ଏକ ପୁଲ୍ ସଟ୍ ଖେଳିବାକୁ ଯାଇ ଆଘାତର ଶିକାର ହେବାଯୋଗୁଁ ରିଟାୟର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିଥିଲେ। ତଥାପି ସ୍ବସ୍ତିକ ସମସ୍ତ ସୁଯୋଗର ଭରପୂର ଫାଇଦା ଉଠାଇ ଶତକ ହାସଲ କରିଥିଲେ। ସ୍ବସ୍ତିକ ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲା ବେଳେ ପ୍ରଥମ ପଦାର୍ପଣକାରୀ ସମ୍ବିତ ବରାଳ ଡେଥ୍ ଓଭରରେ ବ୍ୟାଟିଂକୁ ଆସି ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ସମ୍ବିତ ୧୩ ବଲ୍ରୁ ୩ ଛକା ଓ ୧ ଚୌକା ସହାୟତାରେ ୨୭* ରନ୍ କରିବାରୁ ଦଳ ୨୦୦ ନିକଟତର ହୋଇପାରିଥିଲା।
ସଂକ୍ଷିପ୍ତ ସ୍କୋର: ରେଳବାଇ ୧୮.୫ ଓଭରରେ ୧୯୮/୩ (ବିବେକ ସିଂହ-୫୯, ପ୍ରଥମ ସିଂହ-୫୬, ଉପେନ୍ଦ୍ର ୟାଦବ-୪୬*, ରାକେଶ ପଟ୍ଟନାୟକ-୧/୨୨, ଗୋବିନ୍ଦ ପୋଦ୍ଦାର-୧/୩୬)। ଓଡ଼ିଶା ୨୦ ଓଭରରେ ୧୯୪/୫ (ସ୍ବସ୍ତିକ ସାମଲ-୧୦୫, ସମ୍ବିତ ବରାଳ-୨୭*, ଗୌରବ ଚୌଧୁରୀ-୧୯, କୁନାଲ ୟାଦବ-୨/୩୭)।