ଲେବାନନ,୨୭।୧୧: ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ସ୍ଥିତି ସଂଗୀନ ହୋଇଥିବା ବେଳେ ଏହାମଧ୍ୟରେ ବନ୍ଦ ହେବାକୁ ଯାଉଛି ଯୁଦ୍ଧ । ଇସ୍ରାଏଲ-ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ବିରତି ରାଜିନାମା ହୋଇଛି। ଆମେରିକା ମଧ୍ୟସ୍ଥତାରେ ଉଭୟ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବିରତି ରାଜିନାମା ହୋଇଥିବା ନେଇ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି । ଏହି ରାଜିନାମା ଲାଗୁ ହେବା ଫଳରେ ଇସ୍ରାଏଲ-ଲେବାନନ ସୀମାରେ ଲଢ଼େଇରେ ଅବସାନ ଘଟି ପରବର୍ତ୍ତୀ ୬୦ ଦିନରେ ଇସ୍ରାଏଲ ପର୍ଯ୍ୟାୟକ୍ରମେ ସେନା ଅପସାରିତ ହେବେ।
ସୂଚନାଯୋଗ୍ୟ ଯେ, ଲେବାନନର ପ୍ରଧାନମନ୍ତ୍ରୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ବାଇଡେନ ଟେଲିଫୋନ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ । ତେବେ ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ଆମେରିକା ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡିଛି। ଇସ୍ରାଏଲ କ୍ୟାବିନେଟରେ ନିରାପତ୍ତା ସଂକ୍ରାନ୍ତ ଯୁଦ୍ଧ ବିରତି ରାଜିନାମାକୁ ମଞ୍ଜୁରୀ ମିଳିଛି । କିନ୍ତୁ ରାଜିନାମା ଉଲ୍ଲଂଘନ କଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି ଇସ୍ରାଏଲ । ଏହି ଯୁଦ୍ଧ ବିରାମ ନେଇ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ମିଳିତ ବିବୃତିନାମା ଜାରି କରିଛନ୍ତି । କୂଟନୈତିକ ସ୍ତରରେ ବହୁ ଦିନରୁ ଆଲୋଚନା ହେଉଥିବା ବେଳେ ଉଭୟ ଇସ୍ରାଏଲ ଓ ଲେବାନନ ଯୁଦ୍ଧ ବିରାମ ପାଇଁ ରାଜିନାମାକୁ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି ।
ଏହି ପଦକ୍ଷେପ ପାଇଁ ମାକ୍ରନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଇଡେନ । ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରିନଥିବା ବେଳେ ଲେବାନନ କିମ୍ବା ଆମେରିକା ଯୁଦ୍ଧ ଚାହୁଁନଥିବା ବାଇଡେନ କହିଛନ୍ତି । ଏହାସହିତ ସେ କହିଛନ୍ତି ଯେ, ଘୋଷଣାନାମା ଦ୍ବାରା ଲଢ଼େଇର ଅବସାନ ଘଟିବ। ବ୍ଲୁ ଲାଇନର ଉଭୟ ପଟେ ଥିବା ଇସ୍ରାଏଲ ଓ ଲେବାନନର ନାଗରିକ ନିରାପଦରେ ଘରକୁ ଫେରିବେ । ଅପରପକ୍ଷରେ କେତେ ଦିନ ଧରି ଯୁଦ୍ଧବିରାମ ଜାରି ରହିବ ତାହା ଲେବାନନ ଉପରେ ନିର୍ଭର କରୁଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।