ମଣିପୁର: ଗତ ବର୍ଷ ମେ ମାସରୁ ମଣିପୁରର ଦୁଇ ସମ୍ପ୍ରଦାୟ ମୈତେଇ ଓ କୁକୀ ମଧ୍ୟରେ ବିବାଦ ଲାଗିରହିଥିବା ଯୋଗୁଁ ରାଜ୍ୟ ଅଶାନ୍ତ ହୋଇ ରହିଛି। ତେବେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ମଣିପୁରର ସ୍ଥିତି ପୁଣିଥରେ ସଂଗୀନ ହୋଇପଡିଛି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଶିକ୍ଷାର୍ଥୀମାନେ ଆନ୍ଦୋଳନ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହି ଅଶାନ୍ତିକୁ ଦୃଷ୍ଟିରେ ରଖି ପୂରା ରାଜ୍ୟରେ ଆସନ୍ତା ୫ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୧୫ ଯାଏ ଇଣ୍ଟରନେଟ ଶଟଡାଉନ ବଳବତ୍ତର ରହିବ। ଏହି ପରିପ୍ରେକ୍ଷୀରେ ଗୃହ ବିଭାଗ ପକ୍ଷରୁ ମଣିପୁର ସରକାର ସମସ୍ତ ପ୍ରକାରର ଇଣ୍ଟରନେଟ ଓ ମୋବାଇଲ ଡାଟା ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ପ୍ରକାଶ ପାଇଛି। ଏହି କଟକଣା ମଙ୍ଗଳବାର ଦିନ ୩ଟାରୁ କଟକଣା ଲାଗୁ ହୋଇଥିବା ବେଳେ ରବିବାର ଦିନ ୩ଟା ଯାଏ ବଳବତ୍ତର ରହିବ।
କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ ବିଭିନ୍ନ ଫୋଟୋ ଓ ଭିଡିଓ ଶେୟାରି କରି ଲୋକଙ୍କୁ ଉସକାଇବା ସହ ବିଭାଜନକାରୀ ଓ ଗୁଜବ ମଧ୍ୟ ସୋସିଆଲ ମିଡିଆ, ଏସଏମଏସ ଏବଂ ଡଙ୍ଗଲ ସେବା ମାଧ୍ୟମରେ ଛଡ଼ା ଯାଉଛି। ଏହା ହିଂସା ସୃଷ୍ଟି କରିବା ସହିତ ଏଥିଯୋଗୁ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ଇଣ୍ଟରନେଟ ଉପରେ ଏପରି କଟକଣା ଲଗା ଯାଇଛି। ଅପରପକ୍ଷରେ ରାଜ୍ୟରେ ବୁଧବାର ଓ ଗୁରୁବାର ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ପ୍ରକାଶ ପାଇଛି। ଏଥିସହ ରାଜ୍ୟର ମାତ୍ରାଧିକ ହିଂସାପ୍ରବଣ ଜିଲ୍ଲା ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଏବଂ ଥୌବୁଲ ଆଦି ୩ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୬ରେ ବିଷ୍ଣୁପୁର ଜିଲ୍ଲାରେ ଥିବା ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଆରପିଜି ଆକ୍ରମଣ ହୋଇଥିଲା । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପୂଜା କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପୁଣି ଥରେ ଅଶାନ୍ତ ହୋଇଉଠିଥିଲା ମଣିପୁର । ହିଂସାରେ ଏଯାବତ୍ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଗୁରୁତର ହୋଇଛନ୍ତି ।