ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହୋଇ ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ମୁହାଁ ହୋଇଛି। ଏହା ଗୁରୁବାର ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଆସନ୍ତା ୨୪ ଘଣ୍ଟା ଅର୍ଥାତ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବ। ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା କରିଛି।
ଅପରପକ୍ଷରେ ବାତ୍ୟା ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ବିଭିନ୍ନ ସ୍ଥାନରେ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ସତର୍କତା ଦୃଷ୍ଟିରୁ ଗୁରୁବାର ଦିନ ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି। ବାତ୍ୟା ଯୋଗୁ ତାମିଲନାଡୁର ସମୁଦ୍ର ଅଶାନ୍ତ ହୋଇପଡିଥିବା ବେଳେ କୁଡାଲୋର, କରାଇକାଲ, ଆଥିରାମପାଟ୍ଟିନମ, ପାରଙ୍ଗିପେଟ୍ଟାଇ, ମୀନାମ୍ବକମ ଆଦି ଅନେକ ଜିଲାରେ ପ୍ରବଳ ବର୍ଷା ହୋଇଛି।
ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିବା ବେଳେ ୨୮ରୁ ରାଜ୍ୟରେ କୋହଲା ପାଗ ରହିବ ନେଇ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ସେଥିପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶା ଯଥା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମରେ ହାଲୁକା ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି । ଏହାସହିତ ଦିନ ତାପମାତ୍ରାରେ ହ୍ରାସ ଘଟିବା ନେଇ ସୂଚନା ଜାରି ହୋଇଛି ।