ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାନ୍ତ ବିହାରରେ ଥିବା ପିଭିଆର ମଲ୍ଟିପ୍ଲେକ୍ସ ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଠାରେ ଥିବା ଏକ ଲୋକପ୍ରିୟ ମିଠା ଦୋକାନ ନିକଟରେ ଏହି ବିସ୍ଫୋରଣ ଘଟିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ବିସ୍ଫୋରଣ ସ୍ଥଳୀରୁ ଧଳା ପାଉଡର ପରି କିଛି ସନ୍ଦେହଜନକ ପଦାର୍ଥ ମିଳିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ପ୍ରାୟ ୧୧.୪୮ ସମୟରେ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ଏକ ପ୍ରସିଦ୍ଧ ମିଠା ଦୋକାନ ‘ବଂଶୀ ୱାଲା’ ନିକଟରେ ଥିବା ଏକ ପାର୍କର କାନ୍ଥ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ଘଟଣା ସମ୍ପର୍କରେ ତୁରନ୍ତ ସୂଚନା ପାଇ ସେଠାରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ୪ଟି ଅଗ୍ନିଶମ ବିଭାଗ ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଏହାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।