କାନବେରା, ୨୮|୧୧: ଆସନ୍ତାକାଲି ଖେଳାଯିବ ପିଙ୍କ ବଲ ଟେଷ୍ଟ। ସେଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ବୁଧବାର କାନବେରାରେ ପହଞ୍ଚିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଦଳ ବିପକ୍ଷରେ ଭାରତୀୟ ଦଳ ଗୋଟିଏ ଅଭ୍ୟାସ ମ୍ୟାଚ୍ ଖେଳିବ। ଆଡିଲେଡ୍ରେ ଆସନ୍ତା ୬ ତାରିଖରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ନଭେମ୍ବର ୩୦ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ।
ଅପରପକ୍ଷରେ ସମସ୍ତଙ୍କ ଫୋକସରେ ଅଛନ୍ତି ରୋହିତ ଶର୍ମା । ଏହି ଅଭ୍ୟାସ ମ୍ୟାଚ୍ ରୋହିତ ଶର୍ମାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ। କାରଣ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବାରୁ ସେ ପ୍ରଥମ ଟେଷ୍ଟ୍ ଖେଳିପାରି ନଥିଲେ। ତାଙ୍କ ସ୍ଥାନରେ ଯଶପ୍ରୀତ୍ ବୁମ୍ରା ଦଳର ନେତୃତ୍ବ ନେଇଥିଲେ। ତେବେ ଅଷ୍ଟ୍ରେଲୀୟ ପିଚ ସହିତ ଖାପ ଖୁଆଇବାକୁ ରୋହିତଙ୍କ ପାଇଁ ଅଭ୍ୟାସ ମ୍ୟାଚ୍ ଉପଯୋଗୀ ହୋଇପାରିବ।
ସେହିପରି ଭାରତର ତୃତୀୟ ସ୍ଥାନର ଖେଳାଳି ଶୁବମନ ଗିଲ୍ଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ। କାରଣ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନଥିବାରୁ ଦ୍ବିତୀୟ ଟେଷ୍ଟ୍ରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ପ୍ରଥମ ଟେଷ୍ଟ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ବେଳେ ଗିଲ୍ଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିବାରୁ ପର୍ଥରେ ସେ ମ୍ୟାଚ ଖେଳିପାରି ନଥିଲେ।
ତେବେ ଆଡିଲେଡ୍ରେ ଦ୍ବିତୀୟ ଟେଷ୍ଟ୍ ପାଇଁ ନବାଗତ ବେଓ ୱେବଷ୍ଟର୍ଙ୍କୁ ସାମିଲ କରିଛି ଅଷ୍ଟ୍ରେଲିଆ ଦଳ । ଟିମର ମିଚେଲ ମାର୍ସ ଆହତ ଥିବାରୁ ତାଙ୍କ ପରିବର୍ତ୍ତେ ୱେବଷ୍ଟର୍ଙ୍କୁ ଦଳରେ ସାମିଲ କରାଯାଇଛି। ସିଫିଲ୍ଡ ସିଲ୍ଡରେ ଟାସ୍ମେନିଆ ପକ୍ଷରୁ ଖେଳିଥିବା ୱେବଷ୍ଟର୍ ନିକଟରେ ଭାରତ-ଏ’ ବିପକ୍ଷରେ ଅଷ୍ଟ୍ରେଲିଆ-ଏ’ର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ୧୪୫ ରନ୍ ସଂଗ୍ରହ କରିବା ସହ ୭ ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ଅଭ୍ୟାସ ମ୍ୟାଚ୍ରେ ଅଷ୍ଟ୍ରେଲିଆର ମାର୍ନସ ଲବୁସାନ୍ ଖେଳିବା ନେଇ ଚୟନକର୍ତ୍ତାମାନେ ତାଙ୍କୁ ମନା କରିଛନ୍ତି। ଲବୁସାନ ଓ ସ୍ମିଥ୍ ଭାରତ ବିପକ୍ଷରେ ଦୁଇଟି ପାଳିରେ ନିରାଶ କରିଥିବାରୁ ସେମାନଙ୍କୁ ଅଭ୍ୟାସ ମ୍ୟାଚ୍ ଖେଳିବା ଅପେକ୍ଷା ବ୍ୟାଟିଂ ଅଭ୍ୟାସ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି।