କାନବେରା,୨୮।୧୧: ଭାରତୀୟ କ୍ରିକେଟ ଷ୍ଟାର ତଥା ପୂର୍ବତ୍ତନ ଅଧିନାୟକ ବିରାଟ କୋହଲି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଆସନ୍ତାକାଲିର ପିଙ୍କ ବଲ ଟେଷ୍ଟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ବୁଧବାର କାନବେରାରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ଗୁରୁବାର କାନବେରା ସଂସଦ ଭବନରେ ଭାରତୀୟ କ୍ରିକେଟ ଦଳ ସହ ସାକ୍ଷାତ୍ କରିଥିଲେ। ଏହି ସମୟରେ ପର୍ଥ ଟେଷ୍ଟରେ ମ୍ୟାଚ ବିଜୟୀ ପ୍ରଦର୍ଶନ ପାଇଁ ସେ ଜସପ୍ରୀତ ବୁମରା ଏବଂ ବିରାଟ କୋହଲିଙ୍କୁ ପ୍ରଶଂସା କରିଥିଲେ।
କାନବେରା ସଂସଦ ଭବନରେ ଅଧିନାୟକ ରୋହିତ ଶର୍ମା ଟିମ ସହିତ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀଙ୍କ ସହ ପରିଚୟ କରାଇଥିଲେ। ଏହି ସମୟରେ ଜସପ୍ରୀତ ବୁମରାଙ୍କୁ ପ୍ରଶଂସା କରିଥିଲେ ଆଲବାନିସ । ସେ କହିଥିଲେ ଯେ, ତାଙ୍କ ବୋଲିଂ ଆକ୍ସନ ବିଶ୍ୱରେ ନିଆରା।
ଏହା ପରେ ଆନ୍ଥୋନୀ ବିରାଟ କୋହଲିଙ୍କ ସହ ହାତ ମିଳାଇବା ସହିତ ପର୍ଥ ଟେଷ୍ଟରେ ଶତକ ହାସଲ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଭାରତ ପାଇଁ ପର୍ଥରେ ଭଲ ସମୟ ଥିଲା ଯେଉଁଠି ଆମେ ଯଥେଷ୍ଟ ସଂଘର୍ଷ କରୁଥିଲୁ। ତେବେ ଏହାର ଉତ୍ତର ଦେବାକୁ ଯାଇ କୋହଲି ମଜାଳିଆ ଢଙ୍ଗରେ କହିଥିଲେ ଯେ, ଆମକୁ ସବୁବେଳେ ମସଲା ପକେଇବା ପାଇଁ ଭଲ ଲାଗେ।
ଏହାପରେ ଉଭୟ କୋହଲି ଏବଂ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ ଏହି ପ୍ରସଙ୍ଗରେ ହସିବାକୁ ଲାଗିଲେ।
ଭାରତୀୟ ଦଳ ବୁଧବାର କାନବେରା ପହଞ୍ଚିଥିବା ବେଳେ ଶନିବାର ଏବଂ ରବିବାର ମନୁକା ଓଭାଲରେ ଦୁଇ ଦିନିଆ ଟେଷ୍ଟ ମ୍ୟାଚ ଖେଳିବ। ଏହା ପରେ ୬ଡିସେମ୍ବରରୁ ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଖେଳାଯିବ।