ଭୁବନେଶ୍ବର: ଶୁକ୍ରବାରଠାରୁ ଭୁବନେଶ୍ୱରରେ ତିନିଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଯୋଗଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ସହିତ ବିମାନ ବନ୍ଦରରୁ ରାଜଭବନ, ରାଜଭବନରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଗସ୍ତ କରିବାକୁ ଥିବା ସମସ୍ତ ରାସ୍ତାକୁ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ଯାଞ୍ଚ କରିବା ସହିତ ସନ୍ଧାନୀ କୁକୁର ଜରିଆରେ ରାସ୍ତା, ସଭାସ୍ଥଳ, ବିମାନ ବନ୍ଦର ଅଞ୍ଚଳକୁ ଯାଞ୍ଚ କରାଯାଉଛି। ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସହରର ୫ ସ୍ଥାନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି।
ଓଡ଼ିଶାରେ ପ୍ରଥମଥର ପାଇଁ ୫୯ତମ ଡିଜି ଓ ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବ।ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର କ୍ରାଇମ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା। ଅତିଥିଙ୍କୁ ସ୍ୱାଗତ ଓ ସହାୟତା କରିବା ପାଇଁ ବିମାନ ବନ୍ଦରରେ କମିଶନରେଟ୍ ପୁଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି। ବୈଠକରେ ବିଏସ୍ଏଫ୍ ଡିଜି, ସିଆର୍ପିଏଫ୍ ଡିଜି, ଏନ୍ଆଇଏ ମୁଖ୍ୟ, ଆଇବି, ଏନ୍ଏସ୍ଜି, ଏସ୍ପିଜି ପ୍ରମୁଖ ଯୋଗଦେବେ। ଏହି ସମୟରେ ୩୦୦ ପଦାଧିକାରୀ ୩ ଦିନ ଧରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ରହିବେ। ଏହାସହିତ ରାଜ୍ୟଅତିଥି ଭବନରେ ରହିବେ ସବୁ ରାଜ୍ୟର ପୋଲିସ ଡିଜି। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ମହାନିର୍ଦେଶକ ୱାଇ.ବି ଖୁରାନିଆ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତିି। ସୁରକ୍ଷା ବ୍ୟବସ୍ଥାରେ ରାଜ୍ୟ ପୁଲିସ ସମେତ, ସିଆର୍ପିଏଫ୍, ବିଏସ୍ଏଫ୍ ଓ କ୍ୟୁଆର୍ଟି ନିୟୋଜିତ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ପ୍ରାୟ ୮୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି।