ନୂଆଦିଲ୍ଲୀ,୨୯|୧୧: ଦିଲ୍ଲୀ ବାୟୁ ମଣ୍ଡଳରେ ସୁଧୁରିନି ସ୍ଥିତି। ସେଥିପାଇଁ ଆହୁରି ୩ ଦିନ ପର୍ଯ୍ୟନ୍ତ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (ଗ୍ରାପ୍)ର ୪ର୍ଥ ପର୍ଯ୍ୟାୟ ନିୟମ ଲାଗୁ ରହିବ। ଏହି ନିୟମ ଗ୍ରାପ୍-୪ ଆଗାମୀ ଡିସେମ୍ବର ୨ ଯାଏ ନିୟମ ବଳବତ୍ତର ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିୟମ ଅଧୀନରେ ଜରୁରୀକାଳୀନ ପଦକ୍ଷେପଗୁଡ଼ିକୁ କୋହଳ କରିବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ନ ହେବା ପାଇଁ ବିଦ୍ୟାଳୟ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଇଛି।
ଗ୍ରାପ୍-୪ ନିୟମ ଅଧୀନରେ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହୋଇଥିବା ନିୟମରେ କୋହଳ କରାଯାଇ କମିଶନ ଫର୍ ଏୟାର କ୍ଵାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ)କୁ ଏହି ପ୍ରସଙ୍ଗରେ ବିଚାର କରିବାକୁ କହିଛନ୍ତି । ନୂତନ ନିୟମ ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ହାଇବ୍ରିଡ୍ ମୋଡରେ ଅର୍ଥାତ ଉଭୟ ଅଫଲାଇନ୍ ଏବଂ ଅନଲାଇନ ମୋଡରେ ପାଠପଢ଼ା ହେବ ।
ଏ ସମ୍ପର୍କରେ ସୂଚନା ଦେଇ ଜଷ୍ଟିସ୍ ଅଭୟ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ବେଞ୍ଚ କହିଛନ୍ତି, ବିଦ୍ୟାଳୟ ସମ୍ବନ୍ଧିତ ପଦକ୍ଷେପ ବ୍ୟତୀତ ଗ୍ରାପ୍-୪ ଅଧୀନରେ ସମସ୍ତ ପ୍ରତିବନ୍ଧକ ଡିସେମ୍ବର ୨ ପର୍ଯ୍ୟନ୍ତ ଲାଗୁ ରହିବ । ଏହାରି ମଧ୍ୟରେ ଗ୍ରାପ୍-୪ରୁ ଗ୍ରାପ୍-୩ କିମ୍ବା ୨ ଆଡ଼କୁ କିପରି ଯାଇହେବ, ସେ ନେଇ ସିଏକ୍ୟୁଏମକୁ ବୈଠକ କରି ପରାମର୍ଶ ଦେବା ପାଇଁ କୁହାଯାଇଛି ।
ଅପରପକ୍ଷରେ, ଅଧିକାରୀମାନେ ଗ୍ରାପ୍-୪ ପ୍ରତିବନ୍ଧକଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ରହିଥିବା ‘କୋର୍ଟ କମିଶନର’ଙ୍କ ରିପୋର୍ଟରୁ ଜଣାପଡ଼ିଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି। ଉକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରାଯିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି।