ନୂଆଦିଲ୍ଲୀ,୩୦|୧୧ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପାଠ୍ୟକ୍ରମର ଅବଧି ପରିବର୍ତ୍ତନ ପାଇଁ ଖୁବଶୀଘ୍ର ବିକଳ୍ପ ପ୍ରଦାନ କରିବ। ସେଥିପାଇଁ ୟୁଜିସି ପକ୍ଷରୁ ତ୍ୱରିତ ଡିଗ୍ରୀ କାର୍ଯ୍ୟକ୍ରମ ଏବଂ ସମ୍ପ୍ରସାରିତ ଡିଗ୍ରୀ କାର୍ଯ୍ୟକ୍ରମ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ମଞ୍ଜୁର ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ୟୁଜିସି ଅଧ୍ୟକ୍ଷ ଏମ୍. ଜଗଦୀଶ କୁମାର କହିଛନ୍ତି ଯେ, ଆକ୍ସେଲରେଟେଡ୍ ଡିଗ୍ରୀ ପ୍ରୋଗ୍ରାମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ରତି ସେମିଷ୍ଟରରେ ଅତିରିକ୍ତ କ୍ରେଡିଟ୍ ହାସଲ କରି କମ୍ ସମୟ ମଧ୍ୟରେ ୩ ବର୍ଷ କିମ୍ବା ୪ ବର୍ଷର ଡିଗ୍ରୀ ପୂରଣ କରିପାରିବେ।
ସୂଚନାଯୋଗ୍ୟ ଯେ, ଆକ୍ସଲରେଟେଡ ଡିଗ୍ରୀ ପ୍ରୋଗ୍ରାମ ଏବଂ ଏକ୍ସଟେଣ୍ଡେଡ୍ ଡିଗ୍ରୀ ପ୍ରୋଗ୍ରାମ ଅଧୀନରେ ଛାତ୍ରଛାତ୍ରୀମାନେ ସମାନ କ୍ରେଡିଟ୍ ପାଇବେ। ସେହିପରି ପ୍ରତି ସେମିଷ୍ଟରରେ କମ୍ କ୍ରେଡିଟ୍ ନେଇ ବିସ୍ତାରିତ ଡିଗ୍ରୀ ପ୍ରୋଗ୍ରାମ ଅଧୀନରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଡିଗ୍ରୀ ଅବଧିକୁ ଦୁଇଟି ସେମିଷ୍ଟର ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ଏହି ସବୁ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ମୂଲ୍ୟାଙ୍କନ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ପକ୍ଷରୁ ଯଥାଶୀଘ୍ର କମିଟି ଗଠନ ହେବା ବୋଲି ଜଣା ପଡିଛି।
ଅପରପକ୍ଷରେ ଅନୁଷ୍ଠାନଗୁଡ଼ିକ ତ୍ୱରିତ ଡିଗ୍ରୀ କାର୍ଯ୍ୟକ୍ରମ ପାଇଁ ଅନୁମୋଦନପ୍ରାପ୍ତ ନାମଲେଖାର ୧୦% ପର୍ଯ୍ୟନ୍ତ ନିର୍ଦ୍ଧାରଣ କରିବା ସହିତ ଏହି ପାଠ୍ୟକ୍ରମ ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ମାନକ ଅବଧି ପରିବର୍ତ୍ତେ ନିର୍ଦ୍ଧାରିତ ଅବଧିରେ ଡିଗ୍ରୀ ପ୍ରଦାନ କରିବେ। ଏହି ଡିଗ୍ରୀ ପୂର୍ବରୁ କିମ୍ବା ପରେ ସମାପ୍ତ ହୋଇଥିବା ଡିଗ୍ରୀ ସହିତ ସମାନ ଭାବରେ ବିବେଚନା କରାଯିବ।