ବେଜିଂ,୩୦।୧୧: ମଧ୍ୟ ଚୀନର ହୁନାନ୍ ରାଜ୍ୟରେ ଏକ ବୃହତ୍ ସୁନାଖଣି ଆବିଷ୍କୃତ ହୋଇଛି। ଏହି ଖଣିରେ ପ୍ରାୟ ୮୨.୮ ବିଲିୟନ ଡଲାର ଅର୍ଥାତ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ସୁନା ଗଛିତ ଥିବା ଜଣାପଡିଛି । ଏନେଇ ଚୀନର ସରକାରୀ ଏଜେନ୍ସି ଜିନ୍ହୁଆ ସୂଚନା ଦେଇଛି। ତେବେ ଏହା ବିଶ୍ବର ସର୍ବ ବୃହତ ସୁନାଖଣି ଭାବେ ପରିଚିତ ହୋଇଛି।
ସୂଚନାଯୋଗ୍ୟ ଯେ, ହୁନାନ୍ ରାଜ୍ୟର ଉତ୍ତର-ପୂର୍ବବର୍ତ୍ତୀ ପିଙ୍ଗ୍ଜିଆଙ୍ଗ୍ କାଉଣ୍ଟି ଠାରୁ ୨ ହଜାର ମିଟରରୁ ଅଧିକ ଗଭୀରତାରେ ଏହି ଖଣି ଚିହ୍ନଟ ହୋଇଛି। ‘ହୁନାନ ଏକେଡେମୀ ଅଫ୍ ଜିଓଲେଜି’ର ଭୂବିଜ୍ଞାନୀମାନେ ଏହି ଖଣିକୁ ଚିହ୍ନଟ କରିଛନ୍ତି। ଏହି ଖଣିରେ ୩୦୦.୨ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ଥିବା ଅନୁମାନ କରିଛନ୍ତି ଭୂବିଜ୍ଞାନୀ। ଏହି ସୁନା ଖଣିରେ ୩ ହଜାର ମିଟରରୁ ଅଧିକ ଗଭୀରତାରେ ୧ ହଜାର ମେଟ୍ରିକ୍ ଟନ୍ରୁ ଅଧିକ ସୁନା ଭରି ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଚୀନ ବିଶ୍ୱର ସବୁଠୁ ବଡ଼ ସୁନା ଉତ୍ପାଦକ ଦେଶ ଭାବେ ପରିଚିତ ହୋଇଥିବା ବେଳେ ୱାର୍ଲଡ ଗୋଲ୍ଡ କାଉନ୍ସିଲ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୈଶ୍ୱିକ ସୁନା ଉତ୍ପାଦନରେ ଚୀନର ଯୋଗଦାନ ୧୦% ଥିଲା। ସେହିପରି ଦକ୍ଷିଣ ଆଫ୍ରିକାର ସାଉଥ୍ ଡିପ୍ ମାଇନ୍ସରେ ଅବସ୍ଥିତ ସୁନାଖଣିରେ ୯୩୦ ମେଟ୍ରିକ୍ ଟନ୍ ସୁନା ସହ ବିଶ୍ୱର ସର୍ବବୃହତ୍ ସୁନାଖଣି ଭାବେ ପରିଚିତ ଥିଲା।