କଟକ,୩୦।୧୧: ବାରବାଟୀ ଷ୍ଟାଡିୟମର ପୁନଃ-ନବୀକରଣ ସହ କଟକ ସହରରେ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଆଲୋଚନା କରିଛନ୍ତି । ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ଥିବାବେଳେ ଆଗାମୀ ଦିନରେ ଏହାକୁ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ କରିବା ଓ ଏଠାରେ ସମସ୍ତ ପ୍ରକାର କ୍ରୀଡାର ଗୁଣାତ୍ମକ ମାନ ବୃଦ୍ଧି କରାଯିବା ଉଚିତ ବୋଲି ବିଧାୟିକା ସୋଫିଆ ସୂର୍ଯ୍ୟବଂଶୀ ସୂରଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅପରପକ୍ଷରେ ଐତିହାସିକ ବାରବାଟୀ ଷ୍ଟାଡିୟମ ପ୍ରତି କଟକ ତଥା ଓଡିଶାର ଲୋକଙ୍କ ମନରେ ଏକ ବିଶିଷ୍ଟ ସ୍ଥାନ ରହିଥିବା ବେଳେ ଏହି ଷ୍ଟାଡିୟମ ବିକାଶରେ ବାରମ୍ବାର ଅବହେଳା କରାଯାଉଛି। ତେଣୁ ଏହି ଷ୍ଟାଡିୟମ ବିକାଶ ପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟିକା ସୋଫିଆ ମନ୍ତ୍ରୀଙ୍କ ସହିତ ବିସ୍ତୃତଭାବେ ଆଲୋଚନା କରିଥିଲେ। ଏହାସହିତ ଆଗାମୀ ଦିନରେ ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ପ୍ରତିଶ୍ରୁତି ଦେଇଥିଲେ।