ଚେନ୍ନାଇ: ଶନିବାର ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଙ୍ଗଲ’। ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଲ୍ୟାଣ୍ଡିଂ ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିଥିବା ଯୋଗୁଁ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ଅଂଚଳରେ ଅନେକ ଘରଦ୍ୱାର ନଷ୍ଟ ହେବା ସହ ଗଛ ଉପୁଡ଼ି ଯାତାୟାତ ବ୍ୟାହତ ହୋଇଛି। ସେହିପରି ଲଗାଣ ବର୍ଷାଯୋଗୁ ପୁଡୁଚେରୀ, ଚେନ୍ନାଇ, ବିଶାଖାପାଟଣା, ମହାବଳୀପୁରମ ଅଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ଯାତାୟାତ ପ୍ରଭାବିତ ହୋଇଛି।
ଚେନ୍ନାଇରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ-ରାଞ୍ଚି ବିମାନ ସେବାକୁ ରଦ୍ଦ କରାଯାଇଥିଲା। ଚେନ୍ନାଇ ବିମାନବନ୍ଦରରେ ଶନିବାର ସନ୍ଧ୍ୟା ୭ଟା ଠାରୁ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। ସେହିପରି କେତେକ ରୁଟରେ ରେଳ ଯାତ୍ରା ମଧ୍ୟ ସ୍ଥଗିତ ରଖାଯାଇଛି।
ବାତ୍ୟା ପରେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ବିଭିନ୍ନ ଅଞ୍ଚଳ ପାଇଁ ଟୋଲଫ୍ରି ନମ୍ବର ଜାରି ହୋଇଛି। ତାମିଲନାଡୁ ସରକାର ଚେନ୍ନାଇ, ତିରୁବଲ୍ଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପଟ୍ଟୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହିତ ଆଇଟି କଂପାନିଗୁଡ଼ିର କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ କମ୍ପାନୀ ମୁଖ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ବାତ୍ୟା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଚେନ୍ନାଇରେ ୩ ଜଣଙ୍କ ମୃତ୍ୟୁ ହୋଇଛି।