ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଫେଙ୍ଗାଲ’ ଶନିବାର ଲ୍ୟାଣ୍ଡଫଲ କରିବା ପରେ ଧୀରେ ଧୀରେ ଦୁର୍ବଳ ହୋଇ ଏହାର ପ୍ରଭାବରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଓଡ଼ିଶାରେ ମଧ୍ୟ ଅନେକ ଜିଲ୍ଲାରେ ରବିବାରଠାରୁ ମାଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବା ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ପାଇଁ ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ କେନ୍ଦ୍ର ଆକଳନ କରିଛି। ଭୁବନେଶ୍ବର ପାଣିପାଗ ବିଭାଗ ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ମଙ୍ଗଳବାର ଗଞ୍ଜାମ, ଗଜପତି , କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ ଓ ବୁଧବାର ଡିସେମ୍ବର ୪ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।