ଚେନ୍ନାଇ: ଶନିବାର ତାଣ୍ଡବ ରଚିଥିବା ବାତ୍ୟା ‘ଫେଙ୍ଗଲ’ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଏହାଯୋଗୁଁ ୧୯ ଜଣଙ୍କ ପ୍ରାଣହାନୀ ଘଟିଛି। ବିଭିନ୍ନ ଅଂଚଳରେ ଅନେକ ଘରଦ୍ୱାର ନଷ୍ଟ ହେବା ସହ ଗଛ ଉପୁଡ଼ି ଯାତାୟାତ ବ୍ୟାହତ ହୋଇଛି। ସେହିପରି ଲଗାଣ ବର୍ଷାଯୋଗୁ ପୁଡୁଚେରୀ, ଚେନ୍ନାଇ, ବିଶାଖାପାଟଣା, ମହାବଳୀପୁରମ ଅଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ଯାତାୟାତ ପ୍ରଭାବିତ ହୋଇଛି। କେରଳର ୪ଟି ଜିଲ୍ଲା ମାଲାପୁରମ୍, କୋଝିକୋଡ଼, ୱାୟନାଡ ଏବଂ କନ୍ନୁରରେ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଇଏମଡି।
ଅପରପକ୍ଷରେ ବାତ୍ୟା ଯୋଗୁଁ ଶନିବାରଠାରୁ ଶ୍ରୀଲଙ୍କା ଓ ଭାରତରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିରେ ଶ୍ରୀଲଙ୍କାରେ ୧୫ ଓ ଚେନ୍ନାଇରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହିତ ତାମିଲନାଡୁର ତିରୁବନ୍ନାମଲଇ ଜିଲ୍ଲାରେ ରବିବାର ଭୂସ୍ଖଳନ ଘଟିବା ଫଳରେ ପାହାଡର ତଳିଆ ଅଞ୍ଚଳରେ ଥିବା ଘର ଗୁଡିକ ମାଟି ତଳେ ପୋତି ହୋଇଯାଇ ଏଥିରେ ପ୍ରାୟ ୭ ଜଣ ମାଟି ତଳେ ଦବି ରହିଥିବା ଜଣାପଡିଛି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ୍ କ୍ୟାମ୍ପକୁ ନିଆଯାଇଛି।
ବାତ୍ୟା ପରେ ସ୍ଥାନୀୟ ପ୍ରଶାସନ, ପୁଲିସ ଫୋର୍ସ, ସେନା ଓ ସ୍ବତନ୍ତ୍ର ଉଦ୍ଧାରକାରୀ ଟିମର ମିଳିତ ଉଦ୍ୟମରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଜିଭା ନଗର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଂଚଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଆବଶ୍ୟକ ରିଲିଫ ଯୋଗାଇ ଦିଆଯାଇଛି । ତାମିଲନାଡୁର ଅନେକ ଅଞ୍ଚଳରେ ୫୦ ସେମିରୁ ଅଧିକ ବର୍ଷା ହୋଇଥିବା ଯୋଗୁଁ ଏଠାରେ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ୩୨ଟି ରିଲିଫ୍ କ୍ୟାମ୍ପରେ ୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହିତ ସର୍ବାଧିକ କ୍ଷତିଗ୍ରସ୍ତ ଅଂଚଳ ଭିଲ୍ଲୁପୁରମରେ ୪୯ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ତେବେ ତିନି ଦଶନ୍ଧି ମଧ୍ୟରେ ଏହା ସର୍ବ ବୃହତ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି।