ଲକ୍ଷ୍ନୌ: ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଲେ କୃଷକ। ଦିଲ୍ଲୀ ଚଲୋ ଡାକରା ଦେଇ ନିଜ ଦାବି ସହିତ ହଜାର ହଜାର ସଂଖ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଏହି ପଦଯାତ୍ରାରେ ଗୌତମ ବୁଦ୍ଧ ନାଗର, ଆଗ୍ରା, ଆଲିଗଡ ଏବଂ ବୁଲନ୍ଦଶାହର ସମେତ ୨୦ଟି ଜିଲ୍ଲାର କୃଷକ ଅଂଶଗ୍ରହଣ କରିଥିଲେ। ସେମାନେ ମୁଖ୍ୟତଃ ପାଞ୍ଚଟି ଦାବି ଯଥା ୧୦% ପ୍ଲଟ୍ ଏବଂ ୬୪.୭% ବର୍ଦ୍ଧିତ କ୍ଷତିପୂରଣ ପୁରୁଣା ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ପ୍ରଭାବିତ ଚାଷୀଙ୍କୁ ସେମାନଙ୍କ ଅଧିକାର ଦିଆଯିବା ଉଚିତ୍ ଆଦି ଦାବିକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଥିପାଇଁ ଗ୍ରେଟର ନୋଏଡାର ଅନେକ ଅଞ୍ଚଳରେ ପ୍ରବଳ ଟ୍ରାଫିକ ଜାମ୍ ଲାଗିଥିବା ଦେଖିବାକୁ ମିଳିଥିଲା । ଏକ୍ସପ୍ରେସ ୱେରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡି ମାନଙ୍କର ଲମ୍ବା ଲାଇନ ଲାଗି ରହିଥିଲା । ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ସୀମାରେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଦିଲ୍ଲୀରୁ ନୋଏଡା ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଅନେକ ରୁଟ୍ ଡାଇଭର୍ଟ କରାଯାଇଥିଲା। ରବିବାର କୃଷକ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ୩ ଘଣ୍ଟା ଧରି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହାର କୌଣସି ନିଷ୍କର୍ଷ ବାହାରି ନପାରିବାରୁ କୃଷକ ମାନେ ପଦଯାତ୍ରା କରିଥିଲେ ।
ପୂର୍ବରୁ ନଭେମ୍ବର ୨୭ରେ କୃଷକମାନେ ଗ୍ରେଟର ନୋଏଡା ପ୍ରାଧିକରଣରେ ଏବଂ ନଭେମ୍ବର ୨୮ରୁ ଡିସେମ୍ବର ୧ପର୍ଯ୍ୟନ୍ତ ସେମାନେ ଯମୁନା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋମବାର ତୃତୀୟ ତଥା ଶେଷ ପର୍ଯ୍ୟାୟ ଥିବା ଜଣାପଡିଛି ।