ଲଣ୍ଡନ: ବୟସ ମାତ୍ର ୧୦ ବର୍ଷ । କିନ୍ତୁ ବିଚକ୍ଷଣ ବୁଦ୍ଧିମତାରେ ଆଲବର୍ଟ ଆଇନଷ୍ଟାଇନ ଓ ଷ୍ଟିଫେନ୍ ହକିଂଙ୍କୁ ବି ପଛରେ ପକାଇଛନ୍ତି ଭାରତୀୟ-ବ୍ରିଟିଶ ବଂଶୋଦ୍ଭବ କ୍ରିଶ୍ ଅରୋରା । ଲଣ୍ଡନ ହଂସଲୋରେ ରହୁଥିବା ୧୦ ବର୍ଷୀୟ କ୍ରିଶଙ୍କ ଆଇକ୍ୟୁ ପ୍ରାୟ ୧୬୨ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସେ ହାଇ-ଆଇକ୍ୟୁ ସୋସାଇଟି ମେନସାରେ ସାମିଲ ହେବା ସହିତ ପୃଥିବୀର ୧% ବୁଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବୋଲି ପରିଗଣିତ ହେଉଛନ୍ତି ।
ମେନସା ପକ୍ଷରୁ କାଟେଲ୍ ଥ୍ରୀ-ବି ପଦ୍ଧତିରେ କ୍ରିଶଙ୍କର ବୁଦ୍ଧିମତା ପରୀକ୍ଷା ହୋଇଥିଲା । ଏଥିରେ ତାଙ୍କର ଆଇକ୍ୟୁ ୧୬୨ ବୋଲି ଜଣାପଡ଼ିଥିଲା, ଯାହା ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ଓ ଷ୍ଟିଫେନ୍ ହକିଙ୍ଗଙ୍କ ଆଇକ୍ୟୁ ଠାରୁ ଅଧିକ । ଆଇନଷ୍ଟାଇନ୍ ଓ ଷ୍ଟିଫେନ୍ ଙ୍କ ଆଇକ୍ୟୁ ପ୍ରାୟ ୧୬୦ ପାଖାପାଖି ହୋଇଥିବା ବେଳେ ସେମାନଙ୍କୁ ପଛରେ ପକାଇଛନ୍ତି ଏହି ଭାରତୀୟ ବଂଶଜ କ୍ରିଶ୍ । ଗଣିତ ସହିତ ଚେସ୍ ଓ ଗ୍ରେଡ୍-୮ର ପିଆନୋ ବଜାଇବାରେ ପାରଙ୍ଗମ କ୍ରିଶ୍ ଅନ୍ତର୍ଜାତୀୟ ଚେସ୍ ମହାସଂଘ ବା ଫିଡେ ରେଟିଂ ୧୬ ଶହ ହାସଲ କରିଥିବା ଜଣାପଡିଛି ।
କ୍ରିଶଙ୍କ ମାଆ ମୌଲି ଓ ବାପା ନିଶ୍ଚଳ ଦୁଇଜଣ ଇଞ୍ଜିନିୟର ହୋଇଥିବା ବେଳେ ମାତ୍ର ୪ ବର୍ଷ ବୟସର ହୋଇଥିବାବେଳେ କ୍ରିଶ୍ଙ୍କର ଅସାଧାରଣ ତଥା ବିଚକ୍ଷଣ ବୁଦ୍ଧିମତା ବିଷୟରେ ଜାଣିବାକୁ ପାଇଥିଲେ ତାଙ୍କ ବାପା ଓ ମାଆ । କ୍ରିଶ୍ ମାତ୍ର ୪ ବର୍ଷ ବୟସରେ ପ୍ରାଞ୍ଜଳ ଭାବେ ବହି ପଢ଼ିବା ସହିତ ଅତି କମ ସମୟରେ ଜଟିଳ ଗଣିତ ପ୍ରଶ୍ନର ସମାଧାନ କରିପାରୁଥିଲେ । ସେହିପରି ୮ ବର୍ଷ ବୟସ ବେଳକୁ କ୍ରୀଶ ଗୋଟିଏ ଦିନରେ ପୂରା ବର୍ଷର ପାଠ ପଢ଼ି ଶେଷ କରିଦେଉଥିଲେ । ଚେସ ଶିଖିବାର ମାତ୍ର କିଛି ଦିନ ମଧ୍ୟରେ ସେ ତାଙ୍କ କୋଚକୁ ମଧ୍ୟ ହରାଇଦେଇଥିଲେ । ସେହିପରି ମାତ୍ର ୧୮ ମାସରେ ସେ ଗ୍ରେଡ୍-୮ର ପିଆନୋ ବଜାଇବା ଶିଖିଥିଲେ।