କୁଇନ୍ସଲ୍ୟାଣ୍ଡ : ଏକ ମତ୍ସ୍ୟଜୀବୀ ଡଙ୍ଗାରୁ ରେକର୍ଡସଂଖ୍ୟକ ୨.୩ ଟନ୍ କୋକେନ ଜବତ କରିଛି ଅଷ୍ଟ୍ରେଲିଆ ପୋଲିସ। କୁଇନ୍ସଲ୍ୟାଣ୍ଡ ଉପକୂଳରେ କ୍ଷତିଗ୍ରସ୍ତ ହୋଇଥିବା ଏହି ବୋଟରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରାଯାଇଛି । ସୋମବାର ଏହି କୋକେନ ବୋଝେଇ ବୋଟଟି ଜବତ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୭୬ କୋଟି ଅଷ୍ଟ୍ରେଲୀୟ ଡଲାର ହୋଇଥିବା ଏବଂ ଏହା କୌଣସି ଦକ୍ଷିଣ ଆମେରିକୀୟ ଦେଶରୁ ଅଣାଯାଇଥିବା ସେମାନେ ସୂଚନା ଦେଇଛନ୍ତି ।
ଅଷ୍ଟ୍ରେଲୀୟ ପୋଲିସ୍ କମାଣ୍ଡର ଷ୍ଟିଫେନ୍ ଜେ କହିଛନ୍ତି ଯେ, କୋମାଞ୍ଚେରୋସ୍ ମୋଟରସାଇକେଲ୍ ଗ୍ୟାଙ୍ଗ ଦ୍ୱାରା ଏହି ଚୋରା ଚାଲାଣ ସମ୍ପର୍କରେ ସୂଚନା ମିଳିଥିଲା । ଏହି ଚୋରା ଚାଲାଣକାରୀମାନେ ପୂର୍ବରୁ ମଧ୍ୟ ଦୁଇଥର ଅଷ୍ଟ୍ରେଲିଆରେ ମାଦକ ଦ୍ରବ୍ୟ ଚୋରା ଚାଲାଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ପ୍ରଥମ ବୋଟ ନଷ୍ଟ ହୋଇଯାଇଥିବା ବେଳେ ଦ୍ୱିତୀୟ ବୋଟଟି ବୁଡ଼ି ଯାଇଥିଲା।
ଅପରପକ୍ଷରେ ମୁଖ୍ୟ ବୋଟଟି ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ଥିବା ଯୋଗୁଁ ଏହାକୁ ଧରାଯାଇ ପାରି ନ ଥିବା ଷ୍ଟିଫେନ୍ କହିଥିଲେ । ପୂର୍ବରୁ ୧ ଟନରୁ ଅଧିକ କୋକେନ ଜବତ କରାଯାଇଥିବା ବେଳେ ସପ୍ତାହେ ମଧ୍ୟରେ ଏହା ହେଉଛି ସବୁଠାରୁ ଅଧିକ ପରିମାଣର ଜବତ ମାଦକ ଦ୍ରବ୍ୟ ।
ତେବେ ଡଙ୍ଗାରେ ଥିବା ଲୋକଙ୍କ ସହ କୋକେନ ନେବାକୁ କୂଳରେ ଅପେକ୍ଷା କରିଥିବା ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ବୟସ ୧୮ ବର୍ଷରୁ କମ୍ ହୋଇଥିବା ବେଳେ ସମସ୍ତେ ଅଷ୍ଟ୍ରେଲୀୟ ନାଗରିକ ବୋଲି ଜଣାପଡିଛି।